ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ପୁଣି ପୋଲିସ ଉପରେ ଆକ୍ରମଣ । ଜୁଆଖେଳ ଚାଲୁଥିବା ଖବର ପାଇଁ ଏସଡିପିଓଙ୍କ ନେତୃତ୍ୱରେ ଚଢ଼ଉ କରିବାକୁ ଯାଇଥିବା ପୋଲିସ କର୍ମଚାରୀ ମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଥିବାବେଳେ ଏହି ଆକ୍ରମଣରେ ଏସଡିପିଓ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, କାଲିମେଳା ଥାନା ମାରଙ୍ଗପାଲି ଗାଁରେ ସୋମବାର ରାତ୍ରରେ ଜୁଆଖେଳ ଚାଲୁଥିବା ଖବର ପାଇ ଦୁଇଟି ଗାଡ଼ିରେ ଏସଡିପିଓଙ୍କ ନେତୃତ୍ୱରେ ରାତ୍ର ୧୨ ଟା ୩0 ମିନିଟ ସମୟରେ ପୋଲିସ ଟିମ ପହଞ୍ଚି ଚଢ଼ଉ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପରେ ଖବର ପାଇ ଅଧିକ ଫୋର୍ସ ଯାଇ ଏସଡିପିଓଙ୍କୁ ଉଦ୍ଧାର କରିଥିଲେ । ଏହି ଆକ୍ରମଣରେ ଆଉ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ପୋଲିସ ଅଧିକାରୀ ଏବଂ ଅନ୍ୟ କର୍ମଚାରିକୁ ଚିକିତ୍ସା କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କୁ କାଲିମେଳା ପୋଲିସ ଗିରଫ କରିଛି ।
ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ ମାରଙ୍ଗପାଲିରେ ଜୁଆଖେଳ ଚାଲୁଥିବା ଖବରପାଇ କାଲିମେଳା ପୋଲିସ ଚଢ଼ଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହ ଖେଳ ଚଲାଉ ଥିବା ଲୋକଙ୍କୁ ମାଡ଼ ମାରିଥିଲେ । ହେଲେ ପରବର୍ତୀ ସମୟରେ ସେଠାରେ କାହା ଅନୁମତିରେ ପୁନର୍ବାର ଖେଳ ଚାଲୁଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।