ଭୁବନେଶ୍ୱର – କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆଙ୍କ ମଧ୍ୟରୁ ଜଗା ସୁସ୍ଥ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଆବଶ୍ୟକ ହେଲେ କାଳିଆକୁ ଭେଂଟିଲେଟରରେ ରଖାଯାଉଛି । ଖୁବ କମ ଦିନ ମଧ୍ୟରେ କାଳିଆର ବ୍ରେନ ଏମଆରଆଇ କରାଯିବ ବୋଲି ଏସସିବି ନ୍ୟୁରୋ ସର୍ଜରୀ ଏଚ୍ଓଡି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ଦିଲ୍ଲୀ ଏମସରୁ ଦୁଇ ଭାଇଙ୍କ ମୁଣ୍ଡ ଅଲଗା ହେବା ପରେ ଉଭୟ ଜଗା କାଳିଆ ବର୍ତମାନ ଏସସିବିରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିଲ୍ଲୀରୁ ଫେରିବା ପରେ ଜଗା ପ୍ରାୟତଃ ସୁସ୍ଥ ରହିଥିଲେ ହେଁ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । କାଳିଆର ଛାତିରେ ସଂକ୍ରମଣ ଓ ନିମୋନିଆ କାରଣରୁ ତାକୁ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରଖାଯାଇଥିଲା । ଦିଲ୍ଲୀ ସ୍ଥିତ ଏମସ୍ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାଳିଆର ଚିକିତ୍ସା କରାଯାଇଥିଲା ।