ସେହିଭଳି ଲାଞ୍ଜିଆ ସଉରା ମହିଳାମାନେ ସମାନ ଭାବେ ସେମାନଙ୍କର କେଶଶୈଳୀକୁ ସଜାଇଥାନ୍ତି । ବେକର ଉପରଭାଗରେ ଚଟକା ‘ଖୋସା’ ତିଆରି କରିଥାନ୍ତି । ଏହାକୁ ଦୁଇ କାନ ପଛ ଦେଇ ଏକ ଚେନ୍ ରେ ସୁରକ୍ଷିତ କରାଯାଇଥାଏ । ଆଉ ମଧ୍ୟ ଏକ ଲମ୍ବା ମୁଣ୍ଡପିନ୍ ବ୍ୟବହାର କରାଯାଏ । ଏହାକୁ ସେମାନେ କେଶର ଶୋଭାବର୍ଦ୍ଧନ ସହିତ ଆତ୍ମରକ୍ଷା ନିମନ୍ତେ ବ୍ୟବହାର କରିଥାନ୍ତି । ସେମାନେ ଖୋସାରେ ମଧ୍ୟ ପତ୍ରର ନଳ ଖୋସିଥାନ୍ତି । ସାନ୍ତାଳମାନେ ରୂପା କାରୁକାର୍ଯ୍ୟ ହୋଇଥିବା ବଡ଼ ହେୟାରପିନ୍ ବ୍ୟବହାର କରିଥାନ୍ତି । ମୁଣ୍ଡର ପଛ ଭାଗରେ ଟାଇଟ୍ ଭାବେ ବନ୍ଧା ଯାଇଥିବା ଖୋସାରେ ସେମାନେ ଏହି ପିନ୍ ବ୍ୟବହାର କରିଥାନ୍ତି । କୁଟିଆ କନ୍ଧ ମହିଳାମାନେ ସେମାନଙ୍କର କେଶକୁ ସୁନ୍ଦର ଭାବେ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାରର ଛୋଟଛୋଟ ହେୟାରପିନ୍ , ପାନିଆ ଓ ଚେନ୍ ବ୍ୟବହାର କରିଥାନ୍ତି । ସେହିଭଳି ଦିଦାୟୀ ଜନଜାତିମାନେ ସେମାନଙ୍କର କେଶରେ ସୁନ୍ଦର ‘ଖୋସା’ ଓ ନାକଚଣା ପିନ୍ଧି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଅନ୍ୟାନ୍ୟ ଜନଜାତି ଗୋଷ୍ଠୀ ଯଥା-ଖରିଆ, ପାଉଡ଼ିଭୂୟାଁ ଓ ଧରୁଆ ଜନଜାତିମାନେ ସେମାନଙ୍କର କେଶ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାରର ହେୟାରପିନ୍ ବ୍ୟବହାର କରିଥାନ୍ତି ।
ଭିଡ଼ିଓରେ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ ଖୋଲି ଭର୍ଚୁଆଲ୍ ଟୁରରେ ରାଜ୍ୟ ଜନଜାତି ସଂଗ୍ରହାଳୟରେ ଜନଜାତିମାନେ କିଭଳି ସେମାନଙ୍କର କେଶ ସଜାଇଥାନ୍ତି, ସେ ବିଷୟରେ ରବିବାର ଅର୍ଥାତ୍ ଜାନୁଆରୀ ୧୦ ତାରିଖ ଦିନ ଜାଣିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।