କେନ୍ଦ୍ରାପଡା – କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରତିÂାତା ଦୀନବଂଧୁ ସାହୁଙ୍କ ସ୍ୱପ୍ନ ଓ ଅଧା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାକୁ ଉଦ୍ୟମ କରିବେ ବୋଲି ପୂର୍ବତନ ମନ୍ତ୍ରୀ ଦୀନବଂଧୁ ସାହୁଙ୍କ ୧୧୦ତମ ଜନ୍ମଜୟନ୍ତୀ ସମାରୋହରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ତାଙ୍କ ଅଭିଭାଷଣରେ କହିଛନ୍ତି । କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ସମାଜସେବୀ ଶ୍ରୀ ସାହୁଙ୍କ ଜୟନ୍ତୀ ଉତ୍ସବରେ ଅନ୍ୟତମ ମୁଖ୍ୟବକ୍ତାଭାବେ ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ଉକ୍ତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଅବସର ବେଉରିଆ ପରିବେଶର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ପ୍ରୟୋଜନ ସଚେତନତା ସହ ବୈଷୟିକ ଜ୍ଞାନକୁ ବିଚାରବନ୍ତଭାବେ ପ୍ରୟୋଗ କରିବାକୁ ସ୍ମାରକୀ ବକ୍ତୃତାରେ ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥିଭାବେ ପୂର୍ବତନ ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡା ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଦାବି କରିଥିଲେ । କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡଃ. ଶରତ କୁମାର ପଳିତା ବିଶ୍ୱବିଦ୍ୟାଳୟ ସ୍ୱପ୍ନକୁ ସାକାର କରିବାକୁ ତ୍ୱରାନ୍ୱିତ ସାଂଗଠନିକ ଉଦ୍ୟମ ପ୍ରୟୋଜନ ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଅତିଥିମାନେ ଦୀନବଂଧୁ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ୍ ସମ୍ସୁର, ଡଃ. ନାରାୟଣ ସାମଲ, ଡଃ. ଅପର୍ଣ୍ଣା ମହାନ୍ତି ସହଯୋଗ କରିଥିଲେ । ଅଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତିସଭାରେ ମହାବିଦ୍ୟାଳୟର ଅଧିକାଂଶ ପ୍ରାଧ୍ୟାପକ, ଅଧ୍ୟାପକ ଏବଂ କର୍ମଚାରୀ ଯୋଗ ଦେଇଥିଲେ ।