
ଗଞ୍ଜାମ– ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ନିକଟ ସୁନାପଲି ଗ୍ରାମରେ ଗତ ୫ ତାରିଖ ରାତିରେ ଚୋର ସନ୍ଦେହରେ ପୋଲସରା ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ଗଙ୍ଗା କାଣ୍ଡି (୪୫)ଙ୍କୁ ଠେଙ୍ଗାରେ ପିଟି ଓ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏଥିରେ ତାଙ୍କ ସହଯୋଗୀ ଲକ୍ଷ୍ମୀ ମହାରଣା ମଧ୍ୟ ଗୁରୁତର ହୋଇଥିଲେ । ଏହି ମାମଲାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ କବିସୂର୍ଯ୍ୟନଗର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସେହି ଗ୍ରାମର ରୋହିତ ପରିଡା (୩୪), ନୟନ ବେହେରା (୨୫), ରାମକୃଷ୍ଣ ବେହେରା (୨୫) । ସେମାନଙ୍କ ଠାରୁ ଗୋଟିଏ କଟର, ଶାବଳ ଏବଂ ଗୋଟିଏ ସାଇକେଲ ଜବତ ହୋଇଥିବା ନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶଥାଉକି, ଗଙ୍ଗା ଓ ଲକ୍ଷ୍ମୀ ଗାଁକୁ ଚୋରି ଉଦ୍ଦେଶ୍ୟରେ ଆସୁଥିବା ସନ୍ଦେହ କରି ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଉଭୟଙ୍କୁ ବାଲିଛାଇ ଫାଣ୍ଡି ପୋଲିସ ଉଦ୍ଧାର କରିଥିଲା । ପୋଲସରା ଡାକ୍ତରଖାନାରେ ଚିକିତ୍ସା ପରେ ଗଙ୍ଗାଙ୍କୁ ଘରେ ଛଡାଯାଇଥିଲା । ୬ ତାରିଖ ସକାଳେ ସେ ପ୍ରାଣ ହରାଇଥିଲେ ।