ଭୁବନେଶ୍ୱର – ଓଟିଇଟି ପ୍ରଶ୍ନର ଅର୍ଦ୍ଧାଧିକ ଭୁଲ୍ ପ୍ରଶ୍ନ ବା ଭାଷା ବିକୃତ ପ୍ରଶ୍ନ ହୋଇଥିବାରୁ ତାହାକୁ ତର୍ଜମା କରି ଯେଉଁ ପରିକ୍ଷାର୍ଥୀଙ୍କର ୪୦ ମାର୍କରୁ ଅଧିକ ନମ୍ବର ଅଛି ସେମାନଙ୍କୁ ଓଟିଇଟି ପାସ୍ ସାର୍ଟିଫିକେଟ ଦେବା ପାଇଁ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘ ଦାବି କରିଛି । ଆସନ୍ତା ୧୮ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ପଦକ୍ଷେପ ନିଆନଗଲେ ଆସନ୍ତା ୧୯ ତାରିଖ ଦିନ ଠାରୁ ଦାବୀ ପୂରଣ ପର୍ଯ୍ୟନ୍ତ ବୋଡର଼୍ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦିଆଯିବ ବୋଲି ମହାସଂଘର ସଭାପତି ଶରତ ଚନ୍ଦ୍ର ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ ଅଭିଯୋଗ କରିଛନ୍ତି ଯେ ଓଟିଇଟିର ପ୍ରଶ୍ନପତ୍ର ସିଲାବସ ବାହାରୁ ସିଟିଇଟି ପ୍ରଶ୍ନଗୁଡ଼ିକୁ ବାହାର ରାଜ୍ୟର ଅଣଓଡ଼ିଆ ମାନଙ୍କ ଦ୍ୱାରା ଓଡ଼ିଆ ଭାଷାକୁ ବିକୃତ କରି ବଙ୍ଗଳା, ତେଲୁଗୁ ଓ ବିଦେଶୀ ଭାଷାରେ ପରୀକ୍ଷା ଦେବା ପାଇଁ ଓଡ଼ିଆ ଭାଷା ଅପ୍ସନାଲ ବନାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ତାକୁ ଅଣଦେଖା କରି ବୁଝି ହେଉନଥିବା ବିଭିନ୍ନ ଭାଷାର ମିଶ୍ରଣରେ ପ୍ରଶ୍ନଗୁଡ଼ିକ ପ୍ରସ୍ତୁତ କରିଛନ୍ତି । ଯାହାଫଳରେ ପରୀକ୍ଷାର୍ଥୀମାନେ ପ୍ରଶ୍ନ ବୁଝି ଉତର ଦେବା ସମ୍ଭବ ହୋଇନଥିଲା । ଏତଦ୍ଭିନ୍ନ ଯେଉଁ କେତୋଟି ପ୍ରଶ୍ନ ବୁଝି ହେଉଥିଲା ସେଗୁଡ଼ିକର ପରୀକ୍ଷାର୍ଥୀ ଠିକ୍ ଉତର ଲେଖିଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଅନ୍ଲାଇନ୍ରେ ପ୍ରକାଶ କରିଥିବା ପ୍ରଶ୍ନ ଓ ଉତରରେ ଅନେକ ତ୍ରୁଟି ପ୍ରକାଶ ପାଇଛି ଯଥା : ଓଡ଼ିଶାର ରାଜ୍ୟପାଳ ନବୀନ ପଟ୍ଟନାୟକ, ଚାନ୍ଦିପୁର ଭଦ୍ରକ ଜିଲ୍ଲାରେ ଓ କେଦାରଗୌରୀ କାବ୍ୟର ରଚୟିତା ଫକୀର ମୋହନ ସେନାପତି ଇତ୍ୟାଦି । ପରୀକ୍ଷା ପରେ ପରେ ମହାସଂଘ ତରଫରୁ ଏକ ପ୍ରତିନିଧି ଦଳ ଏ ପ୍ରକାର ତ୍ରୁଟିକୁ ବିରୋଧ କରି ଗଣଶିକ୍ଷା ମନ୍ତ୍ରୀ ଓ ସଭାପତି ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା କରି ଗ୍ରେସ୍ ମାର୍କ ଦେବା ପାଇଁ ଦାବୀ କରିଥିଲେ ମଧ୍ୟ ସୁଫଳ ମିଳିନି ।ତେଣୁ ୧୮ ତାରିଖ ସୁଦ୍ଧା ଏହାର ସମାଧାନ କରିବାକୁ ର୍ସେ ଦାବି କରିଛନ୍ତି ।
ଉକ୍ତ ଖବରଦାତା ସମ୍ମିଳନୀରେ ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ, ମହାସଚିବ ହାନେଶ ପାତ୍ର ବାଗ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ରାଜିବ ଲୋଚନ ପ୍ରଧାନ ପ୍ରମୁଖ ରାଜ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।