-
ଶିଳ୍ପୀ କେଶୁ ଦାସ ବାଉଁଶ କାରିଗରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଦେଲେ ଆହ୍ଵାନ
ରେମୁଣାର ନୂଆ ପରିବା ହାଟର ପ୍ରବେଶ ପଥରେ ୫୦ ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ବସବାସ କରୁଥିବା ଅବହେଳିତ ୭ଟି ବାଉଁଶ କାରିଗର ପରିବାରକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବାଲେଶ୍ବରର ବିଶିଷ୍ଟ ଶିଳ୍ପୀ କେଶୁ ଦାସ ଆହ୍ବାନ ଦେଇଛନ୍ତି। ଏ ନେଇ ସେବାୟ ଫାଉଣ୍ଡେସନ ପକ୍ଷରୁ ପ୍ରାରମ୍ଭିକ ସ୍ତରରେ ବାଉଁଶ କାରିଗର ବୃତ୍ତିରେ ସୁଧାର ଆଣିବାକୁ ୧୦ଟି କରି ବାଉଁଶ ପ୍ରତି କାରିଗର ମଧ୍ୟରେ ବଣ୍ଟନ କରାଯାଇଛି। ଏହି ବାଉଁଶକୁ ପୁଞ୍ଜି କରି ସେମାନଙ୍କ ବ୍ୟବସାୟକୁ ଆଗେଇ ନେବାକୁ ଆଶା ବାନ୍ଧିଛନ୍ତି ବାଉଁଶ କାରିଗର ଶୁକ୍ରା କାଳନ୍ଦୀ, ବାଇଧର କାଳନ୍ଦୀ, ବୁଦୁନୀ କାଳନ୍ଦୀ, ରଜନୀ କାଳନ୍ଦୀ, ଉତ୍ତମୀ କାଳନ୍ଦୀ। ସେମାନେ ନିଜ ପରିବେଶକୁ ସଫାସୁତୁରା ରଖିବା ସହ ଆଚାର ବ୍ୟବହାର ଓ ଖାଦ୍ୟପେୟରେ ପରିବର୍ତ୍ତନ ଆଣି ସଭ୍ୟ ମଣିଷ ଭଳି ଚଳିବେ ବୋଲି ଶପଥ କରିଛନ୍ତିା
ଆଜି ଏପରି ଏକ ପ୍ରୟାସ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଶିଳ୍ପୀ କେଶୁଦାସ। ‘ବଣଧୂଳିର ଫୁଲ’ର ମୁଖ୍ୟ ବିଜୟ କୁମାର ଆଚାର୍ଯ୍ୟ ଏହାକୁ ପରିଚାଳନା କରିଥିଲେ। ସେବାୟ ଫାଉଣ୍ତସନର ମୁଖ୍ୟ ସୁଜିତ ମୁଖାର୍ଜୀ, ସଂପାଦକ ଆଲୋକ ସାହୁ, ମୁକେଶ ମହାନ୍ତି, ଚନ୍ଦନ ବେହେରା, ସତ୍ୟଜିତ ମୁଖାର୍ଜୀ, ବଳରାମ କର, ସୁଜୟ ଦେ ପ୍ରମୁଖ ବାଉଁଶ କିଣି କାରିଗରଙ୍କୁ ପ୍ରଦାନ କରିଥିଲେ। ଏହାବ୍ୟତୀତ ପରିବା ହାଟରୁ ପରିବା କିଣି ଫେରୁଥବା ବଦାନ୍ୟ ବ୍ୟକ୍ତି ସୁନାରାମ ସିଂ, ସପ୍ତଗିରି ହୋଟେଲର ମାଲିକ ମୁରଲୀ ବାବୁ, ଅମର କୁମାର ପାଳ ପ୍ରମୁଖ ପରିସରକୁ ଆକର୍ଷଣୀୟ ଓ ସୁନ୍ଦର କରିବା ପାଇଁ ସାହାଯ୍ୟ ପ୍ରଦାନ କରିଥିଲେ।
ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ଏ ପ୍ରୟାସ ଫଳରେ ଏବେ କିଛି ପରିବର୍ତ୍ତନ ପରିଲକ୍ଷିତ କାରାଯାଉଥିବା ବେଳେ ସେମାନଙ୍କ ମୁହଁରେ ହସ ଖେଳିଛି। ଏହିଭଳି ଅଭିନବ ଶୈଳୀରେ କରିଗରମାନଙ୍କ ଜୀବନ ଓ ଜୀବିକାର ଉନ୍ନତି କରାଯାଉଥିବା ଦେଖି ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।