ପୁରୀ – ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘର ପ୍ରଥମ ରାଜ୍ୟ ସମ୍ମିଳନୀ ଶୁକ୍ରବାର ଦିନ ଟାଉନହାଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ସାରା ଭାରତ ଭୋଜନମାତା ୟୁନିୟନର ଯୁଗ୍ମ ସଂପାଦକ କେ.ତ୍ୟାଗୀ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ରାଜ୍ୟର ବରିଷ୍ଠ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ଯୋଗଦେଇ କହିଲେ ପାଚିକାମାନଙ୍କ ଉପରେ ମାନସିକ ଅତ୍ୟାଚାର ବୃଦ୍ଧି ପାଉଛି । ସେମାନଙ୍କ ଆର୍ଥିକ ଅବସ୍ଥାକୁ ନଜର ଦିଆଯାଉନାହିଁ । ଅତି ଦୟନୀୟ ଅବସ୍ଥାରେ ପାଚିକାମାନେ ମଧ୍ୟାହ୍ନ ଭୋଜନ ରନ୍ଧନ କରୁଛନ୍ତି । ପାଚିକା ମାନଙ୍କୁ ଶ୍ରମିକ କର୍ମଚାରୀର ମାନ୍ୟତା ଦିଆଯାଉ ବୋଲି ଶ୍ରୀ ପତି କହିଥିଲେ । ପାଚିକାମାନଙ୍କୁ ସର୍ବନିମ୍ନ ମଜୁରୀ ଓ ସାମାଜିକ ନିରାପତା ଯୋଗାଇ ଦେବା ପାଇଁ ଦାବି ହୋଇଥିଲା । ପାଚିକାମାନଙ୍କୁ ବେଆଇନ ଛଟେଇ କରାଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ । ଆଗାମୀ ଦିନରେ ରାଜ୍ୟରେ ଥିବା ସମସ୍ତ ପାଚିକାମାନଙ୍କୁ ଏକତ୍ରିତ କରି ରାଜ୍ୟ ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରାଯିବ । ପାଚିକାମାନଙ୍କ ହକ୍ ପାଇବା ପାଇଁ ଏକତ୍ରିତ ହେବେ । ୨୮ଜଣ ପାଚିକା ପ୍ରତିନିଧି ସେମାନଙ୍କ ସମସ୍ୟା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆସନ୍ତା ୮ ଜାନୁଆରୀ ୨୦୨୦ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଦେଶବ୍ୟାପୀ ଶ୍ରମିକ ଧର୍ମଘଟରେ ପାଚିକାମାନେ ଯୋଗଦେବେ ।
ଏହି ପ୍ରଥମ ରାଜ୍ୟ ସମ୍ମିଳନୀରେ ବରିଷ୍ଠ ନେତା ଜଗନ୍ନାଥ ଦେଓ, ବନବାସିନୀ ମହାପାତ୍ର, ସ୍ମୃତିରଞ୍ଜନ ଦାସ, ଟୁନା ନାୟକ, ବିଭୁତି ରାଉତରାୟ, ବାଳକୃଷ୍ଣ ବେହେରା, ବାହାନ ପରିଡା, ଇଶାନି ଷଡଙ୍ଗୀ, ମୃତ୍ୟୁଞ୍ଜୟ ରାଉତ, କ୍ଷୀରମଣି ମହାନ୍ତି, ଅମଲ ଦେ ପ୍ରମୁଖ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରୁ ଲାଲପତାକା ଉଦଘାଟନ ସହ ଶହୀଦ ବେଦୀରେ ମାଲ୍ୟାର୍ପଣ କରାଯାଇଥିଲା । ପାଚିକା ସଂଘର ଜିଲ୍ଲା ସଭାପତି ପିତବାସ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।