![](https://indokalingtimes.com/wp-content/uploads/2021/01/d9fa86dadb141de42b5b97dce4cef637eb73dfd019f0535c4253402e54018ad0_1.jpg)
-
ଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ଜଳ ହେବ ସ୍ୱଚ୍ଛ ଓ ନିର୍ମଳ
-
ବିନ୍ଦୁସାଗରର ପ୍ରତିଟି ଜଳବିନ୍ଦୁ ପବିତ୍ର: ମୁଖ୍ୟମନ୍ତ୍ରୀ
-
ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବଦ୍ଧପରିକର ପ୍ରଧାନମନ୍ତ୍ରୀ -ଧର୍ମେନ୍ଦ୍ର ପ୍ରଧାନ
![](https://indokalingtimes.com/wp-content/uploads/2021/01/d9fa86dadb141de42b5b97dce4cef637eb73dfd019f0535c4253402e54018ad0_1-300x200.jpg)
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିନ୍ଦୁ ସାଗର ମୋପାଇଁ ସବୁବେଳେ ଏକ ବଡ ଆକର୍ଷଣ ହୋଇ ରହିଛି । ଦେଶର ସବୁତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି । ବିନ୍ଦୁସାଗରର ପ୍ରତିଟି ଜଳବିନ୍ଦୁ ପବିତ୍ର । ବିନ୍ଦୁସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ । ବିନ୍ଦୁସାଗରଏକ ତୀର୍ଥ ପୋଖରୀ ନୁହେଁ,ପୁରୁଣା ଭୁବନେଶ୍ୱରରଲୋକମାନଙ୍କ ସାମାଜିକ ଏବଂସାଂସ୍କୃତିକ ଜୀବନ ସହ ଏହାର ନିବିଡ ସମ୍ପର୍କ ରହିଛି ବୋଲି ସେକହିଥିଲେ । ତେଣୁ ଏହାକୁ ସ୍ୱଚ୍ଛ ରହିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲିଙ୍ଗରାଜ ମହାପ୍ରଭୂଙ୍କ ପବିତ୍ର ଧାମ ଭୁବନେଶ୍ୱର କେବଳ ଏକ ମନ୍ଦିରମାଳିନୀ ନଗରୀ ନୁହେଁ ଏଠାରେ ଅନେକ ତୀର୍ଥ ପୋଖରୀ ମଧ୍ୟ ରହିଛି । ସେଗୁଡିକର ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କରଦାୟିତ୍ୱ । ସେ ଆହୁରି କହିଥିଲେ ଯେ ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ହେବାକୁ ଯାଉଛି । ତେଣୁ ଏକ୍ଷେତ୍ରରେ ଏକାମ୍ର ଅଂଚଳରେ ଥିବା ୨୦ରୁଅଧିକ ଛୋଟ ବଡ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ସମାଜ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ ।
ଇଣ୍ଡିଆନ ଅଏଲ ପକ୍ଷରୁ ପୁରୁଣା ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ବିନ୍ଦୁ ସାଗରର ପବିତ୍ର ଜଳକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ “ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ” ଲୋକାର୍ପିତ ହୋଇଯିବା ସମସ୍ତ ଓଡିଶାବାସୀଙ୍କ ପାଇଁ ଐତିହାସିକ କ୍ଷଣ । ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ପୁଷ୍କରିଣୀ ପରିଷ୍କାର ହେବ । ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି) ମୁମ୍ବାଇ, ଭାରତୀୟ ତୈଳ ନିଗମ(ଆଇଓସିଏଲ), ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ(ଓବସିସି)ର ମିଳିତ ଉଦ୍ୟମରେ ବିଶେଷ ଜ୍ଞାନକୌଶଳରେ ବିନ୍ଦୁ ସାଗରରେ ସ୍ୱତନ୍ତ୍ର ଯନ୍ତ୍ରପାତି ଲଗାଯାଇଛି ।
ବିନ୍ଦୁସାଗରର ଚାରିପଟେ ଚାରୋଟି ପମ୍ପିଂ ସିଷ୍ଟମ ଅବସ୍ଥାପିତ ହୋଇଥିବା ବେଳେ ଏହା ପୋଖରୀର ଦୂଷିତ ଜଳକୁ ଛାଣି ସଫା ଜଳ ପୋଖରୀକୁ ଛାଡିବ । ଫଳରେ ଖୁବ୍ ଶୀଘ୍ର ଏକାମ୍ର ତଥା ଭୁବନେଶ୍ୱରବାସୀଙ୍କ ବିନ୍ଦୁ ସାଗରର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହେବାର ସ୍ୱପ୍ନ ପୂରଣ ହେବ । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲ ୭୦ ଲକ୍ଷ ଟଙ୍କା ଯୋଗାଇଦେଇଛି । ପବିତ୍ର ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ରତାର ପ୍ରତୀକ ହେବ । ଏହି ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସ୍ନାନ ନୀତିକାନ୍ତି ସମେତ ଆନୁଷାଙ୍ଗିକ କାମରେ ଲାଗିପାରିବ । ଓଡ଼ିଶାରେ ପେଟ୍ରୋକେମିକାଲ, କେମିକାଲ, ପଲିମର, ଟେକ୍ସଟାଇଲ ଏବଂ ଫାଇବର ଶିଳ୍ପର ଦ୍ରୁତ ବିକାଶ ମାଧ୍ୟମରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟରେ ନୂଆ ଭାରତ ଉଦୟର ଉଦ୍ୟମରେ ଓଡ଼ିଶାକୁ ପୂର୍ବ ଭାରତର ବିକାଶର ପ୍ରୟୋଗଶାଳା କରିବାର ଏକ ନିଷ୍ଠାପର ଏବଂ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟମ ଆରମ୍ଭ କରାଯାଇଛି ।
ଏକାଦଶ ଶତାବ୍ଦୀରେ ରାଜଧାନୀ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ପରି ଏକ ବିଶ୍ୱସ୍ତରୀୟ କୀର୍ତି ସ୍ଥାପିତ ହୋଇଥିଲା । ଆଜି ଏହି ପୁଷ୍କରିଣୀକୁ ପରିଷ୍କାର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଐତିହାସିକ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଓ ଗୌରବର ଗାଥାକୁ ସାରା ବିଶ୍ୱରେ ପହଁଚାଇବା ଦିଗରେ ବିନ୍ଦୁ ସାଗରର ପବିତ୍ର ଜଳକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଆଉ ଏକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ସରକାର, ଓଡ଼ିଶା ସରକାର ତଥା ସାମୂହିକ ପ୍ରଚେଷ୍ଟାରେ ଓଡ଼ିଆ ଜାତିକୁ ଉପରକୁ ନେବାର ଆବଶ୍ୟକତା ରହିଥିବା ବେଳେ ଏକବିଂଶ ଶତାବ୍ଦୀରେ ସମୃଦ୍ଧଶାଳୀ ଓଡ଼ିଶା ଗଠନ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ କହିଛନ୍ତି ।
ପୁରୁଣା ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଶ୍ରୀ ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀ ଏସ.ଏମ ବୈଦ୍ୟ, ଆଇସିଟି ମୁମ୍ବାଇର କୁଳପତି ଶ୍ରୀ ଅନିରୁଦ୍ଧ ବାଲଚନ୍ଦ୍ର ପଣ୍ଡିତ, ଇଣ୍ଡିଆନ ଅଏଲର ଏଚ୍.ଆର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ ମହାପାତ୍ର, ଆଇସିଟି-ଆଇଓସିର ନିର୍ଦ୍ଦେଶକ ଶ୍ରୀ ବି.ଏନ ଥୋରାଟ,ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୟକ୍ରୀଷ୍ଣ ଦାସ ଓ ଇଣ୍ଡିଆନ ଅଏଲ, ଆଇସିଟି, ଓବିସିସିର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଆଇଓସିଏଲ୍ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ଭୁବନେଶ୍ୱର ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି ସଫେଇ କାର୍ଯ୍ୟ ଦାୟିତ୍ୱ ନେଇଛନ୍ତି । ପ୍ରଥମେ ବିନ୍ଦୁସାଗର ପାଣି ବିଶୋଧନ କରାଯିବ ଓ ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ।ବୈଜ୍ଞାନିକ ପଦ୍ଧତିରେ ଏହାକୁ ବିଶୋଧନ କରାଯିବ । ପ୍ରାଚୀନ ଏହି ପୋଖରୀର ପୁନରୁଦ୍ଧାର କରାଯାଇ ପୂର୍ବାବସ୍ଥା ଫେରାଇ ଅଣାଯିବ ବୋଲି ସୂଚନା ଦିଆ ଯାଇଛି ।
ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆନ୍ କେମିକାଲସ୍ ଇନଷ୍ଟିଚ୍ୟୁଟ୍ ଏବଂ ଇଣ୍ଡିଆନ୍ ଅଏଲ୍ ସହିତ ରାଜ୍ୟ ସରକାର ୨୦୨୦ ଜୁନ୍ ମାସରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଇଣ୍ଡିଆନ୍ କେମିକାଲସ୍ ଟେକ୍ନୋଲୋଜି ଦ୍ୱାରା ବିକଶିତ ହୋଇଥିବା ହାଇଡ୍ରୋ -ଡାଏନାମିକ୍ କାଭିଟେସନ୍ ଟେକ୍ନୋଲୋଜି ଜରିଆରେ ତୀର୍ଥ ପୋଖରୀଗୁଡିକର ଜଳର ସ୍ୱଚ୍ଛତା ରଖିବାପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ରାଜ୍ୟ ସରକାରଏଥିପାଇଁ ଭିତିଭୁମି ସୁବିଧା ଯୋଗାଇ ଦେବେ ଏବଂ ହାଇଡ୍ରୋ -ଡାଏନାମିକ୍ ପମ୍ପ ନିୟୋଜିତ କରାଯିବ ।