ଏନେଇ ସମସ୍ତ ଜିଲ୍ଲାପାଳ, ପୌର କର୍ତୃପକ୍ଷ ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସେ କହିଛନ୍ତି ଯେ ଆସନ୍ତାକାଲି ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁୟନିସିପାଲିଟି ଅଂଚଳରେ କରୋନା ଟିକାର ଡ୍ରାଏରନ୍ ହେବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲ ଓ ମେଡିକାଲ କଲେଜରେ ହେବ ଡ୍ରାଏରନ ।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଯେଉଁ ସ୍ଥାନରେ ଟିକାକରଣ ହେବ ଯଦି ସେହି ସମୟରେ କିଛି ବ୍ୟକ୍ତିଙ୍କ ଭିତରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତେବେ କ’ଣ କରିବାକୁ ହେବ ସେ ବିଷୟରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ସେଥିପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଏଇଏଫଆଇ କିଟ ରଖାଯିବ । ଇଞ୍ଜେକ୍ସନ ଓ ଔଷଧ କିଟ୍ ଗଚ୍ଛିତ ହେବା ସ୍ଥାନରେ ଜଣେ ଏଏନ୍ଏମ୍ଙ୍କୁ ଦାୟିତ୍ୱରେ ରଖାଯିବ । ସେଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଆମର ସବୁ ଜିଲ୍ଲାରେ ଡ୍ରାଏରନ୍ ହୋଇଛି । ଆସନ୍ତାକାଲି ପ୍ରତି ଜିଲ୍ଲାର ୩ଟି ସେଂଟରରେ ଡ୍ରାଏ ରନ କରିବୁ ।
ଉଲ୍ଲେଖ୍ୟଯୋଗ୍ୟ ଯେ ଆସନ୍ତା ୧୩ ତାରିଖରୁ ସମଗ୍ର ଭାରତରେ କରୋନା ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି । ତା’ ପୂର୍ବରୁ କରୋନା ଟିକାର ଡ୍ରାଏରନ କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ।