-
ତ୍ୱରିତ ପଦକ୍ଷେପ ନେବାକୁ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ।
ରାଜ୍ୟରେ ଏବେ ତିନୋଟି ରେଳପଥର ବିକାଶ କାର୍ଯ୍ୟ ଚାଲିଛି । ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପୁରୀ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଦେଇ କାର୍ଯ୍ୟକାରୀ ହୋଉଥିବା ବେଳେ ଏଥିପାଇଁ ରେଳ ମନ୍ତ୍ରାଳୟ ସହିତ ୨୦୧୫ ମସିହାରେ କାର୍ଯ୍ୟକାରୀ ହେଉଥିବା ଚୁକ୍ତି ଅନୁସାରେ ଓଡ଼ିଶା ସରକାର ସମସ୍ତ ଜମି ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା । ଅନୁରୂପ ଭାବରେ ୩୦୫ କିଲୋମିଟର ବିସ୍ତୃତ ଏହି ରେଳପଥ ପାଇଁ ଆବଶ୍ୟକୀୟ ଭୂମି ଅଧିଗ୍ରହଣ ନିମନ୍ତେ ୨୬୬ ଗ୍ରାମର ୩୭୩୬.୧୭୦ ଏକର ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ଖୋର୍ଦ୍ଧାରୁ ମହିପୁର ୭୭ କିଲୋମିଟର ଓ ବଲାଙ୍ଗୀରରୁ ୧୫ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୬୪ ଗ୍ରାମର ୯୯୫.୧୬୫ ଏକର ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି । ନୟାଗଡ ଜିଲ୍ଲାରେ ୧୦୯୧.୧୦୫ ଏକର ଜମି ହସ୍ତାନ୍ତର କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ୭୨ଟି ଗ୍ରାମର ୧୨୩୪.୦୨ ଏକର ଜମି ହସ୍ତାନ୍ତର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଆବଶ୍ୟକୀୟ ୫୩୯.୦୨୬ ଏକର ଜମି ୨୯ଟି ଗ୍ରାମର ହସ୍ତାନ୍ତରିତ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ୧୬ଟି ଗ୍ରାମର ୨୩୯.୬୩ ଏକର ଜମି ରେଳବାଇକୁ ହସ୍ତାନ୍ତର କରାଯାଇଛି । ଯେଉଁ ଗ୍ରାମଗୁଡିକର ଜମି ହସ୍ତାନ୍ତରିତ ହୋଇପାରିନାହିଁ ସେ ବାବଦରେ ରାଜ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସମୀକ୍ଷା ବୈଠକରୁ ଜଣାଯାଇଛି ।
ତାଳଚେର-ବିମଳାଗଡ ରେଳପ୍ରକଳ୍ପ ପାଇଁ ୧୯୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏହି ପରିମାଣ ଓ ଅବଧି ସଂଶୋଧିତ ହେବାର ରହିଛି । ପ୍ରାୟ ୧୫୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ଅନୁଗୋଳ, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲା ଦେଇଯିବ ଓ ଏଥିପାଇଁ ୪୭୨.୬୨ ଏକର ସରକାରୀ ଓ ୧୦୦୪.୪୧୫ ଏକର ବେସରକାରୀ ଜମି ଆବଶ୍ୟକ ହେବ । ଏଥିମଧ୍ୟରୁ ୧୨.୪୪୨୦ ଏକର ଜମି ପୂର୍ବତଟ ରେଳପଥ ଅନୁଗୋଳ ଜିଲ୍ଲା ପ୍ରଶାସନରୁ କ୍ରୟ କରିବାକୁ ପଡିବ । ଦେବଗଡ ଜିଲ୍ଲାରେ ୧୮ଟି ଗ୍ରାମର ଜମି ଅଧିଗ୍ରହଣ ଅପେକ୍ଷାରେ ରହିଛି । ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଜାରି ରହିଛି ।
ଅନୁଗୋଳ-ଡୁବୁରି-ସୁକିନ୍ଦା ରୋଡ ରେଳପଥ ପ୍ରକଳ୍ପ ରେଳ ବିକାଶ ନିଗମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବେଳେ ସମସ୍ତ ବେସରକାରୀ ଜମି ରେଳବାଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ଓ ସରକାରୀ ଜମିଗୁଡିକ ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ରାଜ୍ୟରେ ଯୋଗାଯୋଗ, ଗମନାଗମନ ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରେଳପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଛନ୍ତି ଓ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ରେଳବାଇ ସମୁନ୍ୱୟ କମିଶନର ଶ୍ରୀ ମନୋଜ କୁମାର ମିଶ୍ର, ପି.ସି.ସିଏଫ୍ (ନୋଡାଲ) ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର,ପୂର୍ବତଟ ରେଳପଥର ସିପିଏମ୍ ଶ୍ରୀ ଅଜୟ କୁମାର ସାମଲ, ଏଏସ୍ଆର୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡି.କେ ସାମନ୍ତରାୟ, ଖୋର୍ଦ୍ଧାରୋଡ ଡିଭିଜନ୍ର ଉପମୁଖ୍ୟ ଇଞ୍ଜିନିୟର୍ ରବିନ୍ଦ୍ର କୁମାର ମହାନ୍ତି, ରେଳବିକାଶ ନିଗମର ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ପି.କେ ମହାନ୍ତିଙ୍କ ସମେତ ରାଜସ୍ୱ ତଥା ସମ୍ପୃକ୍ତ ବିଭାଗଗୁଡିକର ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।