ସେହିଦିନ ମଧ୍ୟ ଚନ୍ଦନ ଯାତ୍ରା ପାଇଁ ମଣି ବିମାନରେ ମଦନ ମୋହନ ନରେନ୍ଦ୍ର ପୁଷ୍କରଣୀକୁ ଚାପ ପାଇଁ ବିଜେ କରିବେ । ଯିବା ସମୟରେ ରଥ କାଠ ଅନୁକୂଳ ପାଇଁ ଆଜ୍ଞାମାଳ ଶ୍ରୀମନ୍ଦିରରୁ ରଥଖଳାକୁ ଆସିବ । ଆଜ୍ଞାମାଳ ଆସିବା ପରେ ତିନି ରଥର ତିନୋଟି ୧୨ ଫୁଟିଆ ଧଉରା କାଠ ଅନୁକୂଳ କରାଯିବ । ବିଶ୍ୱକର୍ମା ମହାରଣାମାନେ ବାରିସୀ ସ୍ପର୍ଶ କରି ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ମେ ୨୫ ମଙ୍ଗଳବାର ଦିନ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଗୁଜ ଅନୁକୂଳ କରାଯିବ । ଜୁନ୍ ୨୪ ଗୁରୁବାର ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣମୀ ଅନୁଷ୍ଠିତ ହେବ । ସେହି ଦିନ ପ୍ରଭୁ ରତ୍ନ ସିଂହାସନ ଛାଡି ସ୍ନାନବେଦୀରେ ୧୦୮ଗରା ଅଭିମନ୍ତ୍ରିତ ଜଳରେ ସ୍ନାନ କରିବେ । ସ୍ନାନ ପରେ ଜ୍ୱରରେ ମହାପ୍ରଭୁ ପୀଡିତ ହୋଇ ଅଣସରପିଣ୍ଡିରେ ଅବସ୍ଥାନ କରିବେ । ଏହି ସମୟରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବଙ୍କୁ ଚତୁର୍ଦ୍ଧା ମୂର୍ତି ନାରାୟଣ ରୂପରେ ଦର୍ଶନ କରି ମହାପୁଣ୍ୟ ଅର୍ଜନ କରିବେ । ଜୁଲାଇ ୯ ତାରିଖ ଶୁକ୍ରବାର ଦିନ ନେତ୍ର ଉତ୍ସବ ଅନୁଷ୍ଠିତ ହେବ । ୧୦ ତାରିଖରେ ଉଭାଯାତ୍ରା ଓ ନବଯୈାବନ ଦର୍ଶନ ଦେବେ ମହାବାହୁ । ଜୁଲାଇ ୧୨ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ରତ୍ନ ସିଂହାସନ ଛାଡି ଶ୍ରୀଗୁଣ୍ଡିଚା ମନ୍ଦିର ଉପଲକ୍ଷେ ତିନି ରଥରେ ବସି ଯାତ୍ରା କରିବେ । ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ୧୬ ତାରିଖ ଶୁକ୍ରବାର ଦିନ ହେରାପଚଂମୀ ତିଥିରେ ମା ଲକ୍ଷ୍ମୀ ରାଗ ଜର୍ଜରିତ ହୋଇ ନନ୍ଦୀଘୋଷ ରଥ ଭାଙ୍ଗି ହେରାଗୋହିରୀ ସାହି ବାଟେ ଶ୍ରୀମନ୍ଦିରକୁ ଫେରିବେ । ୧୮ ତାରିଖ ରବିବାର ଦିନ ସନ୍ଧ୍ୟାଦର୍ଶନ ପାଇଁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହି ଦିନ ରବିବାର ପଡୁଥିବାରୁ ଅଧିକ ଭକ୍ତ ଆସିବାର ସମ୍ଭାବନା ରହିଛି । ୨୦ ତାରିଖ ମଙ୍ଗଳବାର ଦିନ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ତିନି ରଥ ଗଡିବ । ୨୧ତାରିଖ ବୁଧବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ । ୨୨ତାରିଖ ଗୁରୁବାର ଦିନ ଅଧରପଣା ନୀତି ଅନୁଷ୍ଠିତ ହେବ । ରଥାରୁଢ ପାଶ୍ୱର୍ ଦେବାଦେବୀ ଚଣ୍ଡୀ ଚାମୁଣ୍ଡାଙ୍କ ସନ୍ତୁଷ୍ଟି ପାଇଁ ରଥ ଉପରେ ଅଧରପଣା ହାଣ୍ଡି ଭଙ୍ଗାଯିବ । ୨୩ ତାରିଖ ଶୁକ୍ରବାର ଦିନ ନୀଳକନ୍ଦରକୁ ନୀଳାଦ୍ରିନାଥ ନୀଳାଦ୍ରି ବିଜେ କରିବେ । ୨୪ ତାରିଖ ଶନିବାର ଦିନ ଭକ୍ତମାନେ ନୀଳାଚଳ ଅଭଡା ପାଇପାରିବେ । ଯଦି କରୋନା କଟକଣା ନରୁହେ ତେବେ ତିଥି ଅନୁଯାୟୀ ସମସ୍ତ ନୀତି ଅନୁଷ୍ଠିତ ହେବା ସହ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନୀତିନିର୍ଘଂଟ ଘୋଷଣା କରାଯିବ । କୋହିନୂର କ୍ୟାଲେଣ୍ଡର ଅନୁଯାୟୀ ଏହି ସବୁ ତିଥି ନିର୍ଦ୍ଦିଷ୍ଟ ତାରିଖରେ ପଡୁଥିବା ସୂଚନା ମିଳିଛି ।
Related Stories
November 24, 2024