ଗଞ୍ଜାମ – ଆଜି ସକାଳ ୬ଟା ସମୟରେ ବ୍ରହ୍ମପୁର ଷ୍ଟେସନ ଠାରୁ ୨୦୦ ମିଟର ଦୂରରେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରେନ୍ ଆଗକୁ ଡେଇଁ ମାଆ ଓ ଦୁଇ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣାରେ ମାଆର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି । ପାରିବାରିକ ଅଶାନ୍ତି କାରଣରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ମୃତ ମହିଳାଙ୍କ ନାମ ରମା ଭଞ୍ଜ (୩୦) । ଆହତ ଦୁଇ ଝିଅ ହେଲେ ରିୟା ଭଞ୍ଜ (୧୧) ଓ ପ୍ରିୟା ଭଞ୍ଜ (୬) । ରିୟା ଷଷ୍ଠ ଶ୍ରେଣୀରେ ଏବଂ ସାନଭଉଣୀ ପ୍ରିୟା ପ୍ରଥମ ଶ୍ରେଣୀରେ ପାଠ ପଢନ୍ତି । ମୃତ ରମାଙ୍କ ଘର ବଡଗଡ଼ ଥାନା ଅନ୍ତର୍ଗତ ମଛାକୋଟ୍ ଗ୍ରାମରେ । ତାଙ୍କ ସ୍ୱାମୀଙ୍କ ନାମ ଉଚ୍ଛବ ଭଞ୍ଜ । ଗୁରୁତର ଦୁଇ ଝିଅଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ରିୟାଙ୍କ ହାତ ପାପୁଲି କଟି ଯାଇଥିବାରୁ ପରବର୍ତି ସମୟରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଜିଆରପି ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଉଚ୍ଛବଙ୍କୁ ଅଟକ ରଖି ପଚରା ଉଚୁରା ଜାରୀ ରହିଛି ।