-
ପରୀ ହତ୍ୟା ମାମଲାର ସିବିଆଇ ଜାଂଚ ଜରୁରୀ
ଶ୍ରୀ ନାଏକ ଟ୍ୱିଟ କରି କହିଛନ୍ତି ଯେ ପରି ହତ୍ୟା ମାମଲାରେ ପୋକ୍ସ କୋର୍ଟଙ୍କ ସରୋଜ ସେଠିଙ୍କୁ ନାବାଳକ ବୋଲି ଘୋଷଣା କରିବା ପରେ ଏବେ ଏହି ଘଟଣାର ତଦନ୍ତ କରୁଥିବା ଏସଆଇଟିର ଅସଲ ଉଦ୍ଦେଶ୍ୟ ଓ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଛି । କାହିଁକି ଏସଆଇଟି ଜଣେ ନାବାଳକ ପିଲାକୁ ଜୋର ଜବରଦସ୍ତି ସାବାଳକ ଦେଖାଇବା ପାଇଁ ପ୍ରୟାସ କରୁଥିଲେ ଏହା ଏକ ବଡ ପ୍ରଶ୍ନ ।
ସେ କହିଛନ୍ତି ଯେ – ମାଟ୍ରିକ ପାସର ପ୍ରମାଣପତ୍ରରେ ଜନ୍ମ ତାରିଖ ଥିବା ସତ୍ୱେ କେଉଁ ଅଦଦ୍ଭୁତ କାରଣ ପାଇଁ ପୋଲିସ ତାଙ୍କୁ ସାବାଳକ ଦେଖାଉଥିଲେ । ସାରା ଭାରତରେ ଏପରି ହେବା ବୋଧେ ବିରଳ । ଏହା ବେଆଇନ ଓ ଅରୁଣ ବୋଥ୍ରାଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ ହେବା ଦରକାର ।
ସେ କହିଛନ୍ତି ଯେ – ହାଡ ଓସିଫିକେସନ ପରୀକ୍ଷା କରିବା ପାଇଁ ବୋଥ୍ରା ବାବୁଙ୍କୁ କିଏ ଅନୁମତି ଦେଇଥିଲା ?ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡି ଦଳ କୁ ରକ୍ଷା କରିବା ପାଇଁ ସରକାର ବିନା ଠୋସ ପ୍ରମାଣରେ ଜଣେ ଦଳିତ ନାବାଳକ ପିଲା କୁ ଫସାଇ ଦେଇଥିବା ଭଳି ଅନୁଭବ ହେଉଛି । କାରଣ ଏବେବି ଅଦାଲତ ଗ୍ରହଣ କରିପାରିବା ଭଳି ଗୋଟିଏ ବି ପ୍ରମାଣ ଏସଆଇଟି ପାଖରେ ନାହିଁ । ଅଙ୍ଗ ତସ୍କରିକୁ ଲୁଚାଇବା ପାଇଁ ମନଗଢା କାହାଣୀ କହୁଛି ଏସଆଇଟି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଗୁଗୁଲ ହିଷ୍ଟୋରି ଡିଲିଟର ରିପୋର୍ଟ ଏସଆଇଟି ପାଖେ ନାହିଁ । ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ । ପଲିଗ୍ରାଫି ଟେଷ୍ଟିଙ୍ଗ ନିର୍ବିବାଦିୟ ନୁହେଁ, ଏପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ରାୟ ଅଛି । ସରୋଜ ପୁର୍ବରୁ ଅଭିଯୋଗ କରିଥିଲା କି ଏସଆଇଟିର ମୁଖ୍ୟ ତାକୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କା ଯାଚୁଥିଲେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପରୀର ବାପା ମା ଏସଆଇଟିର ତଦନ୍ତକୁ ବିଶ୍ୱାସ କରୁନାହାନ୍ତି । ସାଧାରଣ ଲୋକମାନଙ୍କ ଭିତରେ ଏସଆଇଟିର ବିଶ୍ୱସନିୟତା ଆଉ ନାହିଁ । ତେଣୁ ଘଟଣାର ସଠିକ ତଦନ୍ତ କରିବା ପାଇଁ ଏହି ମାମଲାକୁ ସିବିଆଇକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।