ବନକ ଲାଗି ଶ୍ରୀଜୀଉଙ୍କ ଏକ ସ୍ୱତନ୍ତ୍ର ନୀତି । ଏହି ନୀତି ସାଧାରଣତଃ ମାସକରେ ୪ ଥର ହୋଇଥାଏ । ପ୍ରତ୍ୟେକ ରବିବାର ଦିନ ଅଧରପୋଛା ନୀତି ଅନୁଷ୍ଠିତ ହୋଇଥାଏ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଅନେକ ନୀତି କାନ୍ତି ମଧ୍ୟରୁ ବନକଲାଗି ଗୋଟିଏ ନୀତି । ବନକ ଲାଗିର ଅର୍ଥ ହେଉଛି ଶ୍ରୀ ବିଗ୍ରହମାନଙ୍କୁ ବର୍ଣ୍ଣ କରିବା ବା ରଙ୍ଗ କରିବା । ବିଶେଷ କରି ପ୍ରଭୁଙ୍କ ମୁଖ ଶୃଙ୍ଗାର କରିବା । ଏହାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ବନକଲାଗି କୁହାଯାଏ । ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି । ବନକ ଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇନଥାଏ । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ବନ୍ଦ ରହିଥାଏ ।
ବନକ ଲାଗି ଅର୍ଥାତ୍ ବନ୍ୟ ଜାତ ସାମଗ୍ରୀ ଏଥିରେ ବ୍ୟବହାର କରାଯାଉଥିବାରୁ ଏହାକୁ ବନକ ଲାଗି ନୀତି କୁହାଯାଇଥାଏ । ଏଥିସହ ମହାପ୍ରଭୁ ନିଜେ ବର୍ଣ୍ଣିତ ହୁଅନ୍ତି । ବର୍ଣ୍ଣିତ ଅର୍ଥାତ୍ ନିଜେ ସୁନ୍ଦର ଭାବେ ସଜ୍ଜିତ ହେବା । ଏଥିରେ ମୁଖ୍ୟତଃ କସ୍ତୁରୀ, କେଶର, ଅରତାଳ, ହେଙ୍ଗୁଳ, ପ୍ରାକୃତିକ କଳା ଧଳା ରଙ୍ଗ ବ୍ୟବହାର ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ ।