ବିଷୟ ବିଶେଷଜ୍ଞ କମିଟିରେ ଛାତିରୋଗ, ରୋଗ ପ୍ରତିରୋଧ ବିଜ୍ଞାନ, ଅଣୁଜୀବ ବିଜ୍ଞାନ, ଔଷଧ ବିଜ୍ଞାନ, ଶିଶୁରୋଗ ବିଜ୍ଞାନ ଏବଂ ଆନ୍ତରିକ ଭେଷଜ ଚିକିତ୍ସା ବିଜ୍ଞାନ ବିଭାଗ (ପୁଲ୍ମୋନୋଲଜି, ଇମ୍ୟୁନୋଲଜି, ମାଇକ୍ରୋବାୟୋଲଜି, ଫାର୍ମାକୋଲଜି, ପେଡିଆଟ୍ରିକ୍ସ ଏବଂ ଇଣ୍ଟରନାଲ ମେଡିସିନ)ର ବିଶେଷଜ୍ଞମାନେ ସଦସ୍ୟ ଅଛନ୍ତି ।
ପୁଣେଠାରେ ଥିବା ସେରମ ପ୍ରତିଷ୍ଠାନ ପକ୍ଷରୁ ରିକମ୍ବିନାଣ୍ଟ ସିମ୍ପାଞ୍ଜିଆଡେନୋଭାଇରସ୍ ଭେକ୍ଟର ଭେକ୍ସିନ ବା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସାର୍ସ-କୋଭ-ଟୁ ସ୍ପାଇକ୍ର ଏନ୍କୋଡିଂ ଓ ଗ୍ଲାଇକୋ ପ୍ରୋଟିନ ଠାବ କରାଯାଇଛି । ଅଷ୍ଟ୍ରାଜେନେକା/ଅକ୍ସଫୋର୍ଡ ୟୁନିଭର୍ସିଟିରୁ ବୈଷୟିକ ଜ୍ଞାନକୌଶଳ ଆଣି ଏହି ଟିକା ତିଆରି ହୋଇଛି । ଏହି ଫାର୍ମ ପକ୍ଷରୁ ଟିକାର ନିରାପଦ ଦିଗ, ରୋଗ ପ୍ରତିରୋଧକ କ୍ଷମତା ଏବଂ ଦକ୍ଷତାର ତଥ୍ୟାବଳୀ ମଧ୍ୟ ପ୍ରଦାନ କରାଯାଇଛି । 18 ବର୍ଷରୁ ଊର୍ଦ୍ଧ୍ୱ 43745 ଲୋକଙ୍କ ଉପରେ ଟିକାର ପରୀକ୍ଷାମୂଳକ ପ୍ରୟୋଗ ପରେ ସେସବୁ ତଥ୍ୟାବଳୀର ଅନୁଶୀଳନ ଓ ଅନୁଧ୍ୟାନ ଦରିଆପାରି ଦେଶଗୁଡିକରେ କରାଯାଇଛି । ଏହି ଟିକାର ସାମଗ୍ରିକ ଦକ୍ଷତା ଓ ପ୍ରଭାବ ପ୍ରାୟ 70.42 ଶତାଂଶ ଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି । ଆହୁରି ମଧ୍ୟ ସେରମ୍ ସଂସ୍ଥାକୁ ଭାରତରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ଏବଂ ସେଥିରେ 1600 ଲୋକଙ୍କ ଉପରେ ଏହାର ପରୀକ୍ଷାମୂଳକ ପ୍ରୟୋଗ କରାଯାଇ ସେ ସବୁର ତଥ୍ୟାବଳୀ ଅନୁଧ୍ୟାନ କରାଯାଇଛି । ଫାର୍ମ ପକ୍ଷରୁ ମଧ୍ୟ ଟିକାର ଅନ୍ତରୀଣ ନିରାପଦ ଦିଗ ଏବଂ ରୋଗ ପ୍ରତିଷେଧକ ତଥ୍ୟାବଳୀ ଉପସ୍ଥାପିତ କରାଯାଇଛି । ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ସଂଗୃହୀତ ଏହି ତଥ୍ୟାବଳୀ ବିଦେଶରେ ହେଉଥିବା ତଥ୍ୟାବଳୀ ସହ ପ୍ରାୟ ସମାନ ରହିଛି । ଏହିସବୁ ତଥ୍ୟ ଉପରେ ବିଷୟ ବିଶେଷଜ୍ଞ କମିଟି ସବିଶେଷ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ପରେ ଜରୁରୀକାଳୀନ ଆବଶ୍ୟକତା ପାଇଁ ଏହି ଟିକାର ସୀମିତ ବ୍ୟବହାର ନିମନ୍ତେ ଅନୁମତି ଦେବାକୁ ସୁପାରିସ କରିଛି । ଏଥିରେ ସ୍ପଷ୍ଟ କରିଦିଆଯାଇଛି ଯେ ଏହି ଟିକା ପ୍ରଦାନ ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ କରାଯିବ । ଆହୁରି ମଧ୍ୟ ଦେଶରେ ଏହି କଂପାନୀ ଦ୍ୱାରା ଯେଉଁ କ୍ଲିନିକାଲ ଟ୍ରାଏଲ ଚାଲିଛି ତାହା ମଧ୍ୟ ଜାରି ରହିବ ।
ସେହିଭଳି ଭାରତ ବାୟୋଟେକ୍ ସଂସ୍ଥା ଏକ ପୂର୍ଣ୍ଣାଙ୍ଗ ଭାଇରିୟନ ଇନ୍ଆକ୍ଟିଭେଟେଡ କରୋନା ଭାଇରସ୍ ଭେକ୍ସିନ ବା କୋଭାକ୍ସିନ ପ୍ରସ୍ତୁତ କରିଛି । ଆଇସିଏମ୍ଆର ଓ ଏନ୍ଆଇଭି (ପୁଣେ)ର ସହଯୋଗରେ ଏହି ଟିକା ପ୍ରସ୍ତୁତ ହୋଇଛି । ଏନ୍ଆଇଭି ପୁଣେରୁ ଏହି ଟିକା ପାଇଁ ଭୂତାଣୁର ମଞ୍ଜି (ସିଡ୍ସ ଷ୍ଟ୍ରେନ) ସଂଗୃହୀତ ହୋଇଛି । ଭେରୋସେଲ୍ ପ୍ଲାଟଫର୍ମରେ ଏହି ଟିକା ତିଆରି କରାଯାଇଛି ; ଯାହାର ନିରାପଦ ଦିଗ, ଦକ୍ଷତା ଓ ସଫଳତା ରେକର୍ଡ ବେଶ୍ ଭଲ । ଉଭୟ ଦେଶ ଓ ବିଦେଶରେ ଏହାର ସୁନାମ ରହିଛି ।
ଭାରତ ବାୟୋଟେକ୍ ଏହି ଟିକାକୁ ମୂଷା, ବିଭିନ୍ନ ପ୍ରକାର ମୂଷିକଜାତୀୟ ଜୀବ, ଠେକୁଆ, କେତେକ ବାନର ଜୀତୀୟ ପ୍ରାଣୀଙ୍କ ଉପରେ ପରୀକ୍ଷା କରିଛି । ସେହି ପରୀକ୍ଷାର ଫଳାଫଳ ଓ ତଥ୍ୟକୁ ସଂସ୍ଥା ଦ୍ୱାରା ଉପସ୍ଥାପନ କରାଯାଇଥିଲା । କଂପାନୀ ପକ୍ଷରୁ ଏହିସବୁ ତଥ୍ୟାବଳୀକୁ ସିଡିଏସ୍ସିଓକୁ ଅବଗତ କରାଯାଇଛି । ଏହି ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ବା କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଏଥିରୁ ପ୍ରାୟ 800 ପ୍ରକାର ତଥ୍ୟାବଳୀ ଓ ଫଳାଫଳରୁ ଜଣାପଡିଛି ଯେ ଏହି ଟିକା ଅତ୍ୟନ୍ତ ନିରାପଦ ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବେଶ୍ ସମର୍ଥ । ସେହିଭଳି ଏହାର ତୃତୀୟ ପର୍ଯ୍ୟାୟ ସଫଳତା ଓ ଦକ୍ଷତା ପରୀକ୍ଷା ଭାରତରେ କରାଯାଇଥିଲା । 25800 ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ପ୍ରାୟ 22500ଙ୍କୁ ଟିକା ପ୍ରଦାନ କରାଯାଇଛି । ସେମାନଙ୍କଠାରୁ ମିଳିଥିବା ତଥ୍ୟାବଳୀ ଅନୁସାରେ ଏହି ଟିକା ନିରାପଦ ବୋଲି ଜଣାପଡିଛି । ବିଷୟ ବିଶେଷଜ୍ଞ କମିଟି (ଏସ୍ଇସି) ଏହି ଟିକାର ପରୀକ୍ଷାମୂଳକ ବ୍ୟବହାରରୁ ମିଳିଥିବା ତଥ୍ୟରୁ ନିରାପଦ ଦିଗ ଏବଂ ଏହାର ରୋଗ ପ୍ରତିଷେଧକ ଦକ୍ଷତାକୁ ସମୀକ୍ଷା କରିବା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ସୀମିତ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିସ କରିଛି । ଜନସ୍ୱାର୍ଥ ଦୃଷ୍ଟିରୁ ଯଥେଷ୍ଟ ସାବଧାନତାର ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ ପୂର୍ବକ ଏହି ଟିକା ପ୍ରଦାନ କରିବାକୁ କୁହାଯାଇଛି । ଟିକାର ପରୀକ୍ଷାମୂଳକ ବ୍ୟବହାର ସମୟରେ ଯେପରି ସାବଧାନତା ଅବଲମ୍ବନ କରାଯାଉଥିଲା ସେହିଭଳି ସତର୍କତା ଅବଲମ୍ବନ କରିବାକୁ କମିଟି କହିଛି । ମ୍ୟୁଟାଣ୍ଟ ଷ୍ଟ୍ରେନ ଦ୍ୱାରା ସଂକ୍ରମଣ ସ୍ଥିତିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ନେବାର ଅଧିକ ବିକଳ୍ପ ପାଇଁ ମଧ୍ୟ ସୁପାରିସ କରାଯାଇଛି । ଏହି ଟିକାର ଯେଉଁ ଅଧିକ ପରୀକ୍ଷା ନିରୀକ୍ଷା ଦେଶରେ ଚାଲିଛି ତାହା ଅବ୍ୟାହତ ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
କାଡିଲା ହେଲ୍ଥ କେୟାର ସଂସ୍ଥା କୋଭିଡ୍ 19ର ମୁକାବିଲା ପାଇଁ ଯେଉଁ ଟିକା ପ୍ରସ୍ତୁତ କରିଛି ତାହାର ନାମ ରଖାଯାଇଛି ଏନ୍-କଭ୍ ଭ୍ୟାକ୍ସିନ । ଡିଏନ୍ଏ ପ୍ଲାଟଫର୍ମ ଟେକ୍ନୋଲଜି ବ୍ୟବହାର କରି କାଡିଲା ଏହି ନଭେଲ କରୋନା ଟିକା ବିକଶିତ କରିଛି । ଫାର୍ମ ପକ୍ଷରୁ ଦେଶରେ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ପ୍ରୟୋଗ 1 ହଜାରରୁ ଅଧିକ ଲୋକଙ୍କ ଉପରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସେହି ପରୀକ୍ଷା କାର୍ଯ୍ୟ ଚାଲିଛି । ଏହି କ୍ଲିନିକାଲ ଟ୍ରାଏଲରୁ ମିଳିଥିବା ଅନ୍ତରୀଣ ଡାଟାରୁ ଜଣାପଡିଛି ଯେ ଏହି ଟିକା ନିରାପଦ ଏବଂ ଏହାର ରୋଗ ନିରୋଧକ ଶକ୍ତି ଭଲ । ଏହି ଟିକାକୁ ଇଂଜେକ୍ସନ ଆକାରରେ ନିୟମିତ ବ୍ୟବଧାନରେ 3 ଥର ନେବାକୁ ପଡିବ । ଏହି ସଂସ୍ଥା ପକ୍ଷରୁ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରାଯାଇଛି । ଏଥିରେ 26000 ଭାରତୀୟଙ୍କୁ ପରୀକ୍ଷାମୂଳକଭାବେ ଏହି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ସେହି ପରୀକ୍ଷାକୁ ଅବ୍ୟାହତ ରଖିବାକୁ ବିଷୟ ବିଶେଷଜ୍ଞ କମିଟି ମଧ୍ୟ ସୁପାରିସ କରିଛି ।