
ଗଞ୍ଜାମ– ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରୀ କରାଯାଇଛି । ବିଏମସି ପକ୍ଷରୁ ଜିରୋ ନାଇଟ୍ ଉତ୍ସବ ପାଳନ ଉପରେ ରୋକ୍ ଲଗାଇବା ପାଇଁ ଏକ ନିର୍ଦ୍ଦେଶନାମା ଜାରୀ ରହିଛି । ଏଥିରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଏମସି ଅଂଚଳରେ ଜିରୋ ନାଇଟ୍ ଉତ୍ସବ ପାଳନ ଉପରେ କଟକଣା ଜାରୀ କରାଯାଇଥିବା ନେଇ ଦର୍ଶାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ସହରର କୌଣସି କ୍ଲବ୍, ହୋଟେଲ, ସମ୍ମିଳନୀ କକ୍ଷ କିମ୍ବା କଲ୍ୟାଣ ମଣ୍ଡପରେ ଏଭଳି କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ । ସର୍ବସାଧାରଣ ସ୍ଥାନରେ ଭିଡ଼ ନକରିବାକୁ କୁହାଯାଇଥିବା ବେଳେ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଜନସାଧାରଣ ନିଜ ନିଜ ଘରେ ପରିବାର ଲୋକଙ୍କ ସହିତ ନୂଆ ବର୍ଷ ଉତ୍ସବ ପାଳନ କରିପାରିବେ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ।
ସେହିପରି ନୂଆ ବର୍ଷରେ ଧାର୍ମିକ ଅନୁଷ୍ଠାନ, ପିକନିକ୍ ସ୍ପଟ୍ ଓ ବେଳାଭୂମିରେ ଯେପରି ଲୋକଙ୍କ ଭିଡ଼ ନହେବ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାର ତିନି ଉପଜିଲ୍ଲାପାଳଙ୍କୁ ପୂର୍ବରୁ ନିର୍ଦ୍ଦେଶ ଜାରୀ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।