ଭୁବନେଶ୍ୱର – ବିଜେପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରଚାର ଜୋର ଧରିଲାଣି । ଏବେ ସେଠାରେ ବଡ଼ ବଡ଼ ନେତା, ମନ୍ତ୍ରୀ ଭିଡ଼ ଜମାଇଲେଣି । ଏପରି ସ୍ଥିତିରେ ଗୁରୁବାର ରାତିରେ ବରଗଡ଼ ଜିଲ୍ଲା ବରାପାଲି ନିକଟରେ ଏକ କାରରୁ ୧୯ ଲକ୍ଷ ଟଙ୍କା ଜବତ କରିଛି ଫ୍ଳାଇଂ ସ୍କ୍ୱାର୍ଡ । ପୋଲିସ୍ କାର ମାଲିକ ପରାଗ ଅଗ୍ରୱାଲଙ୍କୁ ଏସମ୍ପର୍କରେ ପଚରାଉଚରା କରୁଛି ।
ସୂଚନା ଅନୁଯାୟୀ ଗତ ରାତିରେ ବଲାଙ୍ଗିର ସୀମାରେ ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ବରପାଲି ବିଡିଓ ଓ ଫ୍ଳାଇଂ ସ୍କ୍ୱାର୍ଡ ଗାଡ଼ି ଯାଂଚ କରୁଥିଲେ । ଏହି ସମୟରେ ପରାଗ ବରପାଲି ରାସ୍ତା ଦେଇ କାରରେ ଯାଉଥିଲେ । ଫ୍ଳାଇଂ ସ୍କ୍ୱାର୍ଡ ତାଙ୍କ ଗାଡ଼ିକୁ ଅଟକାଇ ଯାଂଚ କରିଥିଲା । ଯାଂଚ ବେଳେ ତାଙ୍କ ଗାଡ଼ି ଭିତରୁ ୧୯ ଲକ୍ଷ ଟଙ୍କା ବାହାରିଥିଲା । ପରାଗଙ୍କ ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବଗବାହାଡ଼ା ଅଂଚଳରେ । ସେ ଜଣେ ବ୍ୟବସାୟୀ ବୋଲି ପୋଲିସ୍ ଆଗରେ କହିଛନ୍ତି । ଏହି ଟଙ୍କା ତାଙ୍କର ଓ ବ୍ୟବସାୟ ପାଇଁ ସେ ଏହି ଟଙ୍କା ଆଣିଛନ୍ତି ବୋଲି କହିଛନ୍ତି ।
ତେବେ ଏହି ଟଙ୍କା କେଉଁଠୁ ଆସିଲା, ପରାଗ କୁଆଡେ଼ ନେଉଥିଲେ ସେନେଇ ଆୟକର ବିଭାଗ ତଦନ୍ତ କରିବ ବୋଲି ପୋଲିସ୍ କହିଛି ।