ଜୟପୁର – ଗଭୀର ଆର୍ଥିକ ସଂକଟ ଓ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପ୍ରତିବାଦରେ ଅକ୍ଟୋବର ୧୦ ରୁ ୨୦ ତାରିଖ ଯାଏ ଦେଶ ସାରା ବାମପନ୍ଥୀଙ୍କ ମିଳିତ ଆନ୍ଦୋଳନ ଅଭିଯାନ ଆରମ୍ଭ ହେବ । ଦେଶର ୫ଟି ବାମପନ୍ଥୀ ଦଳ ନୂଆଦୀଲ୍ଲି ଠାରେ ଏକ ଜାତୀୟ କନଭେନସନରରେ ମିଳିତ ହୋଇ ଅକ୍ଟୋବର ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶ ବ୍ୟାପୀ ମିଳିତ ଆନ୍ଦୋଳନ ଓ ଅଭିଯାନ ଚଳାଇବା ପାଇଁ ଘୋଷଣା କରିଛି । ଏହି ଘୋଷଣା କ୍ରମେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ସମେତ ଜିଲା ସଦର ମହକୁମାରେ ଏହା ସଂଗଠିତ ହେବା ନେଇ ଆହ୍ୱାନ ଦିଆଯାଇଛି ।
ସରକାରୀ ପୁଞ୍ଜିନିବେଶ ବୃଦ୍ଧି କରି ନିଯୁକ୍ତି ସୃଷ୍ଟି କରାଯାଉ ଏବଂ ସେ ପର୍ଯ୍ୟନ୍ତ ବେକାରୀ ଭତା ଦିଆଯାଉ, ସମସ୍ତ ପ୍ରକାର ଛଟେଇ ଓ କାମ ବନ୍ଦ ରୋକାଯାଉ, ସର୍ବନିମ୍ନ ମଜୁରୀ ୧୮ ହଜାର ଏବଂ ନିଯୁକ୍ତି ହରାଇଥିବା ବ୍ୟକ୍ତିଙ୍କୁ ମାସିକ ଭତା ଦିଆଯାଉ, ରାଷ୍ଟ୍ରାୟାତ ଉଦ୍ୟୋଗର ଘରୋଇକରଣ, ପ୍ରତିରକ୍ଷା ଓ କୋଇଲା କ୍ଷେତ୍ରରେ ଶତ ପ୍ରତିଶତ ପୁଞ୍ଜି ନିବେଶ ବନ୍ଦ ହେଉ, ଏମଏନଆରଜିଏସର ପାଣ୍ଠି ବୃଦ୍ଧି କରି ଗ୍ରାମୀଣ ବେକାରଙ୍କୁ ସର୍ବନିମ୍ନ ୨ ଶହ ଦିନ ନିଯୁକ୍ତି ପ୍ରଦାନ କରାଯାଉ, କୃଷକ ମାନଙ୍କ ଉପରୁ ଋଣଛାଡ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣ କରାଯାଉ, ବାର୍ଦ୍ଧକ୍ୟ ଓ ବିଧବା ଭତା ମାସିକ ୩ ହଜାର ଟଙ୍କା କରାଯାଉ ଆଦି ଦାବୀରେ ସିପିଆଇ, ସିପିଆଇ (ଏମ୍) ସିପିଆଇ(ଏମ୍ଏଲ୍) ଲିବରେସନ ମିଳିତ ବାମ ପନ୍ଥୀ ତରଫରୁ ଏହି ଆନ୍ଦୋଳନ କରାଯିବ ।