ଆଜି ଦର୍ଶକମାନେ ଫେସବୁକ୍ ଓ ଟୁଇଟର ପେଜ୍ ଖୋଲି ଓରାଓଁ ସମ୍ପର୍କରେ ସମ୍ୟକ ଧାରଣା ପାଇବେ ବୋଲି ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ମାନବଜୀବନର ଗୁରୁତ୍ୱ ଓ ପ୍ରକୃତି ସହିତ ଜନଜାତିମାନେ କିଭଳି ଜଡ଼ିତ ଏବଂ ଏହି ସମ୍ପର୍କକୁ ଓରାଓଁ ଜନଜାତିମାନେ ସାମାଜିକ ବ୍ୟବସ୍ଥାରେ ସଂଯୁକ୍ତ କରିପାରିଛନ୍ତି । ଋତୁ ପରିବର୍ତନ ସହିତ ସେମାନେ ବିବିଧ ପର୍ବପର୍ବାଣୀ ପାଳନ କରିଥାନ୍ତି । ନୃତ୍ୟ, ସଂଗୀତ ଓ ଉତ୍ସବ ପାଳନ ପର୍ବପର୍ବାଣୀର ମୁଖ୍ୟ ଅଂଶ ଅଟେ । ପ୍ରାଣୀମାନଙ୍କର ସମ୍ମାନାର୍ଥେ ସେମାନେ କ୍ୟାଟେଲ୍ ଫେଷ୍ଟିଭାଲ (ଗୋପର୍ବ) ଆୟୋଜନ କରିଥାନ୍ତି । ଓରାଓଁ ଜନଜାତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ସେମାନେ କୃଷିର ଆଧୁନିକ ପ୍ରଣାଳୀକୁ ଅନୁସରଣ କରିଥାନ୍ତି ।
ଓରାଓଁ ଜନଜାତିଙ୍କ ପୋଷାକପରିଚ୍ଛଦ ନିଆରା । ସେମାନେ ଧଳା ଓ ନାଲି ରଙ୍ଗର ସୂତାବସ୍ତ୍ର ପରିଧାନ କରିଥାନ୍ତି । ପୁରୁଷମାନେ ପରିଧାନ କରୁଥିବା ବସ୍ତ୍ର କରେୟା ଓ ମହିଳାମାନେ ଖନ୍ରିଆ ପରିଧାନ କରିଥାନ୍ତି । ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ଏହି ବସ୍ତ୍ର ପ୍ରସ୍ତୁତ କରାଯାଥାଏ । ପୁରୁଷମାନେ ସମୟେ ସମୟେ ପଗଡ଼ି ବ୍ୟବହାର କରିଥାନ୍ତି । ମହିଳାମାନେ ମୂଲ୍ୟବାନ ଧାତୁ ବା ଆଲୟରେ ପ୍ରସ୍ତୁତ ସାଧାରଣ ଅଳଙ୍କାର ବ୍ୟବହାର କରିଥାନ୍ତି । ସମାଜର ଅନ୍ୟ ବର୍ଗ ମାନଙ୍କ ସମ୍ପର୍କରେ ଆସିବା ପରେ ସେମାନେ ପାରମ୍ପରିକ ପୋଷାକ ସହିତ ଆଧୁନିକ ପୋଷାକ ମଧ୍ୟ ବ୍ୟବହାର କରୁଛନ୍ତି । ପର୍ବପର୍ବାଣୀ ସମୟରେ ଏହି ଓରାଓଁ ଜନଜାତି ପାରମ୍ପରିକ ବସ୍ତ୍ର ପରିଧାନ କରିଥାନ୍ତି । ନୃତ୍ୟ ପରିବେଷଣ ସମୟରେ ନକଲି ମୁଦ୍ରା ଆକାରର ମାଳା ଓ ବଳାଗଣ୍ଠି ପାଇଁ ଅଳଙ୍କାର ବ୍ୟବହାର କରିଥାନ୍ତି ।