-
ରବୀନ୍ଦ୍ର ଜେନା କହିଲେ, ଜିଲ୍ଲାକୁ ଆସିବ ଏକଲକ୍ଷ କୋଟି ଟଙ୍କାର ମେଗା ପ୍ରକଳ୍ପ
କୃଷ୍ଣ କୁମାର ମହାନ୍ତି, ବାଲେଶ୍ବର
ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଆଜି ବାଲେଶ୍ଵର ସିଦ୍ଧି କଲ୍ୟାଣ ମଣ୍ତପରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ସଦର ବ୍ଲକ ସଭାପତି ବସନ୍ତ କୁମାର ପଣ୍ତା ମଞ୍ଚ ଆହ୍ବାନ କରିଥିଲେ। ସଦର ବିଧାୟକ ସ୍ବରୂପ କୁମାର ଦାସ ସଭାପତିତ୍ବ କରିଥିଲା ବେଳେ ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ, ବରିଷ୍ଠ ବିଜେଡି ନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ପ୍ରତିଷ୍ଠା ଦିବସରେ ଜିଲ୍ଲା ସଭାପତି ଇଂ. ଜେନା କହିଥିଲେ ଯେ ବିଜେଡିର ପ୍ରତିଷ୍ଠା ଦିବସ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ତଳୀରେ ଅନୁଷ୍ଠିତ ହେଉଛି। ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ସଦର ନିର୍ବାଚନ ମଣ୍ତଳୀର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଉଛି ବିଜେଡି ଉପରେ ଭରସା ରଖିଥିବାରୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ବରିଷ୍ଠ ରାଜ୍ୟସ୍ତରୀୟ ନେତାମାନଙ୍କର ଉଦ୍ୟମ ଫଳରେ ବାଲେଶ୍ବର ଉପ ନିର୍ବାଚନରେ ଆପଣମାନେ ବିଜେଡିକୁ ଜିତାଇଛନ୍ତି। ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଥିବା ଯୋଗୁଁ ଆଗାମୀ ଦିନରେ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଆମେ ଏହି ସଫଳତାକୁ ପୁଣି ଦୋହରାଇବା। ଆପଣମାନଙ୍କ ପ୍ରଚେଷ୍ଟା ଓ ସହଯୋଗ ସେମିତି ରହିବ ବୋଲି ଆଶା କରିବି। ମୁଖ୍ୟମନ୍ତ୍ରୀ ଆମ ଜିଲାର ଦାୟିତ୍ବ ନେଇଛନ୍ତି। ତେଣୁ ବହୁ ମେଗା ପ୍ରକଳ୍ପ ଆମ ଜିଲାକୁ ଆସୁଛି। ପ୍ରାୟ ୧ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ବାଲେଶ୍ବରକୁ ଆସୁଛି। ଆଗାମୀ ୩ ବର୍ଷ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ଆମେ, ବାଲେଶ୍ବରବାସୀ ରାଜ୍ୟ ସରକାରଙ୍କ ତଥା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ନିଶ୍ଚିତ। ଆମ ଜିଲାର ୭୬% କୃଷକ ରହିଛନ୍ତି। ରାଜ୍ୟ ସରକାରଙ୍କୁ କୃଷି ବିଶ୍ବ ବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଏହା ସହିତ ରିଂ ରୋଡ, ଇଡକୋ ଟାୱାର ଭଳି ବଡ଼ ପ୍ରକଳ୍ପର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ। ବିଶେଷ କରି ନିର୍ବାଚନ ସମୟରେ ଦଳ ତରଫରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେ ପ୍ରତିଶ୍ରୁତି ପାଳନ ନିଶ୍ଚିତ କରାଯିବ, ଯାହା ମୁଖ୍ୟମନ୍ତ୍ରୀ ବାରମ୍ବାର ଦୋହରାଇଛନ୍ତି। ଦଳକୁ ଆଗକୁ ନେବା ପାଇଁ ଆମ ଜିଲାବାସୀଙ୍କର ସେମିତି ସହଯୋଗ ରହିବା ଦରକାର। ଯୁବ ଓ ଛାତ୍ର ନେତାମାନଙ୍କ ସହ ମହିଳାମାନଙ୍କୁ ଆଗକୁ ନେବା ପାଇଁ ବିଶେଷ ଉଦ୍ୟମ ରହିଛି। ଏହାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଦଳ କାର୍ଯ୍ୟ କରିବ। ବାଲେଶ୍ବର ତଥା ଓଡ଼ିଶା ବିକାଶରେ ମହିଳାମାନେ ଅଧିକ ସାମିଲ ହୁଅନ୍ତୁ। ମୋତେ କେହି ଡାକି ନାହିଁ ବୋଲି ଦଳର କାର୍ଯ୍ୟକ୍ରମକୁ ବର୍ଜନ କରନ୍ତୁ ନାହିଁ, ନିଜେ କିଛି କରିବା ପାଇଁ ଆଗେଇ ଆସନ୍ତୁ ଦଳ ଗଠନରେ ଓ ବିକାଶ କରିବାରେ ସାମିଲ ହୁଅନ୍ତୁ ବୋଲି ଶ୍ରୀଜେନା ନିଜ ଅଭିଭାଷଣରେ କହିଥିଲେ।
ସେହିପରି ବରିଷ୍ଠ ନେତ୍ରୀ ସୁବାସିନୀ ଜେନା ନିଜ ବକ୍ତବ୍ୟରେ ବାଲେଶ୍ବରର ବିକାଶ ପାଇଁ ସମସ୍ତେ ଜଣେ ଜଣେ ବିନ୍ଧାଣୀ ହେବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଦୀର୍ଘ ବର୍ଷ ଧରି ଓଡ଼ିଶାବୀସ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖିଛନ୍ତି ଓ ଏହା ଆଗକୁ ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଦେଇ ମହିଳାମାନେ ଓଡ଼ିଶା ଗଠନରେ ନିଜକୁ ସାମିଲ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।
ସକାଳେ ସହରର ଡିଆଇସି ଛକ ଓ ଫାଣ୍ତି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂତ୍ତିର୍ରେ ମାଲ୍ୟାର୍ପଣ କରା ଯାଇଥିଲା। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଗୌରୀ କୁମାର ରାଉତ, ଟାଉନ ବିଜେଡି ସଭାପତି ସନତ ଦାସ, ଟାଉନ ମହିଳା ସଭାପତି ରଞ୍ଜିତା ମହାପାତ୍ର, ସଦର ବ୍ଲକ ଚେୟାରମେନ ନାରାୟଣ ପ୍ରଧାନ, ବିଜେଡି ନେତା ବିନୋଦ ପାଣି, ରଞ୍ଜନ ବାଗ, ଯଯାତି ଦାସ, ନରେନ୍ଦ୍ର ବିହାରୀ ଦାସ, ରଞ୍ଜନ ପ୍ରଧାନ, ଜିଲା ବିଜୁ କୃଷକ ଜନତା ଦଳ ସଭାପତି ଅଜୟ ସାମଲ, ଶ୍ରମିକ ନେତା ଅରୁଣ ସ୍ବାଇଁ, ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲା ଯୁବ ବିଜେଡି ସଭାପତି ତାପସ ପରିଡା, ଜିଲା ଛାତ୍ର ସଭାପତି ସିମନ ଦାସମହାପାତ୍ର, ବିଜେଡି ରାଜ୍ୟ ସମ୍ପାଦିକା ମୀନା ମହାନ୍ତି, ବିଜେଡି ନେତ୍ରୀ ସ୍ନେହଲତା ଦାସ, ଶ୍ରଦ୍ଧାଞ୍ଜଳି ରାୟ, ରେମୁଣାର ପୂର୍ବତନ ବିଦାୟକ ସୁଦର୍ଶନ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ ଧନ୍ୟବାଦ ଦେଇଥିଲେ।