କନ୍ଧମାଳ – ସରକାର ରାଜ୍ୟର ସମସ୍ତ ପଂଚାୟତ ଗୁଡିକର ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ ଅର୍ଥ ଅନୁଦାନ ଦେଉଛନ୍ତି ହେଲେ ସେସବୁ ଅର୍ଥର ସଦ୍ ଉପୋଯୋଗ ହେଉନଥିବାରୁ ଜିଲ୍ଲାରେ ଥିବା ୧୭୧ ପଂଚାୟତ ମଧ୍ୟରୁ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଗ୍ରାମପଂଚାୟତ ଅବହେଳିତ ଅବସ୍ଥାରେ ରହିଛି । କେଉଁଠି ପଂଚାୟତ ଘର ଅଧାପନ୍ତରିଆ ଅବସ୍ଥାରେ ପଡିଛି ତ ଆଉ କେଉଁଠି ପଂଚାୟତକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ । ଖରାଦିନରେ ଯେନତେନ ପ୍ରକାରେ ଗାଡିମୋଟର ଯିବା ଆସିବା କରୁଥିବା ବେଳେ ବର୍ଷା ୩/୪ ମାସ ସବୁ ବନ୍ଦ, ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ଜିଲ୍ଲାର ଦାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ, ରାଇକିଆ, ବାଲିଗୁଡା, କ.ନୂଆଗାଁ , ଫିରିଙ୍ଗିଆ, ଖଜୁରୀପଡା ଆଦି ବ୍ଲକର ପ୍ରାୟ ୩୦ରୁ ଉଦ୍ଧ୍ୱର୍ ପଂଚାୟତ ସବୁକ୍ଷେତ୍ରରେ ଅବହେଳିତ ହୋଇ ରହିଛି । ସରକାରୀ ପଦସ୍ଥ ଅଫିସର କିମ୍ବା ରାଜନେତା କାହାରି ମଧ୍ୟ ପାଦ ପଡୁନିଏଠାରେ । ଗମନା ଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ସବୁ କ୍ଷେତ୍ରରେ ପଛୁଆ ଏସବୁ ଦୁର୍ଗମ ପଂଚାୟତ ଗୁଡିକ ମାଓ ଅଧ୍ୟୁସିତ । ଏହି ଅଂଚଳରେ ମାଓବାଦୀଙ୍କ ଚଳପ୍ରଚଳ ମଧ୍ୟ ରହିଛି । ବେଳେ ବେଳେ ମାଓହିଂସା ମଧ୍ୟ ଘଟୁଛି । କୁମ୍ବିଂ ଅପରେସନ ହେଉଛି । ଗୁଳି ବିନିମୟ ମଧ୍ୟ ହେଉଛି । ଫଳରେ ପଦସ୍ଥ ଅଫିସର କି ରାଜନେତା ଏସବୁ ଅଂଚଳକୁ ଯିବା ତ ଦୂରର କଥା ଉନ୍ନୟନ କାର୍ଯ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଉନାହାଁନ୍ତି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଭିଯୋଗ କଲେ ବି ଶୁଣୁଛି କିଏ? କେବଳ ଭୋଟ୍ ସମୟରେ ଜୀବନକୁ ବାଜି ଲଗାଇ ନେତା ପ୍ରଚାରରେ କାଁ ଭାଁ ଆସୁଛନ୍ତି । ସେତେବେଳେ ପୁଳା ପୁଳା ପ୍ରତିଶୃତି ବି ଅଜାଡି ଦେଉଛନ୍ତି । ଜିତିଲେ ସବୁ କରିବୁ ବୋଲି କହୁଛନ୍ତି । ନିର୍ବାଚନ ପରେ କିନ୍ତୁ ଦେଖାନାହିଁ କାହାର । ବ୍ରାହ୍ମଣୀଗାଁ ଓ ଗୋଚ୍ଛାପଡାକୁ ବ୍ଲକ ମାନ୍ୟତା ଦାବୀ, ଜି.ଉଦୟଗିରିକୁ ସବଡିଭିଜନ ମାନ୍ୟତା ଦାବୀ ହେଉଥିଲେ ମଧ୍ୟ କରାଯାଉନାହିଁ ।
ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା, ଗଦାପୁର, ସରାମୁଳି, ଝିଂଜିରିଗୁଡା, କୁମ୍ଭାରୀଗାଁ, ସିର୍କାବର୍ଗ, ସୋନପୁର ପଂଚାୟତ ଅବହେଳିତ ଅବସ୍ଥାରେ ଥିବାବେଳେ ରାଇକିଆ ବ୍ଲକର ରଣବା, କରଡା, ଇନ୍ଦ୍ରଗଡ, ତୁମୁଡିବନ୍ଧ ବ୍ଲକର ବିଲାମାଳ, ଗୁମ୍ମା, ବେଲଘର, ଲଙ୍କାଗଡ, ଝିରିପାଣି, କୋଟଗଡ ବ୍ଲକର ସାର୍ତୁଲ, ଯୁଡାବାଲି, ଓରା, ପକାରୀ, ମାର୍ଲାଙ୍ଗ, ଗୁଗୁରୁମାହା, ଫିରିଙ୍ଗିଆ ବ୍ଲକର ସୁମରବନ୍ଧ, ପାରିଗଡ, ସାଡିଙ୍ଗିଆ, ପକାରୀ, ବାଳନ୍ଦାପଡା, ବାଲିଗୁଡା ବ୍ଲକର ସୁଡ୍ରା, ଖମନଖୋଲ ଆଦି ପଂଚାୟତ ଅର୍ନ୍ତଭୁକ୍ତ । ପ୍ରାକୃତିକ ସଂପଦରେ ଏସବୁ ଅଂଚଳ ଭରପୁର ରହିଛି । ସରକାରୀ କର୍ମଚାରୀଙ୍କ ଦୁର୍ନିତୀପୂର୍ଣ୍ଣ ମନୋଭାବ, ଲୋକ ପ୍ରତିନିଧି ମାନଙ୍କ ଅଣଦେଖା ଯୋଗୁଁ ଏସବୁ ପଂଚାୟତ ଗୁଡିକ ଅବହେଳିତ ଅବସ୍ଥାରେ ରହିଛି । ବିଭିନ୍ନ ସମୟରେ ଏସବୁ ଅଂଚଳର ଲୋକେ ଆନ୍ଦୋଳନ ମଧ୍ୟ କରୁଛନ୍ତି । ପ୍ରଶାସନିକ ଅଧିକାରୀ ମାନଙ୍କୁ ଅନୁରୋଧ ବି କରିଛନ୍ତି ହେଲେ ଫଳ ଶୁନ୍ । ଏମାନଙ୍କ ସ୍ୱର ଜିଲ୍ଲା ସଦର ମହକୁମାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ପଂହଚି ପାରୁନି । ଏଣୁ, ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି । ଅନ୍ୟଥା ଏସବୁ ପଂଚାୟତର ଲୋକେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।