ମାଲକାନଗିରି– ସାରା ବିଶ୍ୱ ବଡଦିନ ପାଳନରେ ବ୍ୟସ୍ତ ଥିବାବେଳେ ଠିକ ଏତିକିବେଳେ ଜିଲ୍ଲାର ଦୁର୍ଗମ ପଡିଆ ବ୍ଳକର ପୁରୁଣା ନିଲିଗୁଡା ଗ୍ରାମର ଜଣେ ଆଦିବାସୀଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଘଟଣାରେ ଜଣକର ମୃତ୍ୟୁ ହେବା ସହ ପୁରା ପରିବାର ନିସ୍ଵ ହୋଇପଡିଛି । ନିଆଁର କରାଳ ପ୍ରକୋପରେ ମୃତକର ପୁରା ଶରୀର ଜଳି ଶୁଖା ପାଲଟି ଯାଇଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରିରେ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ନିଲିଗୁଡା ଗ୍ରାମର ଇର୍ମା ମାଡକାମିଙ୍କ ଘରେ ରାତ୍ରୀଭୋଜନ ପରେ ସମସ୍ତେ ଶୋଇପଡିଥିବା ବେଳେ ଅଚାନକ ବିଦ୍ୟୁତ୍ ତାରରେ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା । ଏହି ନିଆଁ କ୍ଷଣିକ ମଧ୍ୟରେ ପୁରା ଘରକୁ କବଳିତ କରିନେଇଥିବା ବେଳେ ଘରେ ଶୋଇଥିବା ଇର୍ମାଙ୍କ ସ୍ତ୍ରୀ ଓ ଛୁଆ ଉଠିପଡି ଘର ବାହାରକୁ ଚାଲିଯାଇଥିଲେ । ତେବେ ଘରର ଅନ୍ୟ ଏକ କୋଠରୀରେ ଇର୍ମା ଶୋଇଥିବା ଯୋଗୁଁ ଘର ସହ ସେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ଏ ବାବଦରେ ଗାଁ ଲୋକ ପଡ଼ିଆ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପଡିଆ ଅଗ୍ନିଶମ ଅଧିକାରୀ ଶିଶିର କାନ୍ତ ସିଂ ଓ ବୀରେନ୍ଦ୍ର ସିଂ ଏକ ଟିମ୍ ନେଇ ନିଆଁକୁ ଆୟତ କରିଥିଲେ ।
ଆଜି ସକାଳେ ଏ ନେଇ ମୃତ ଇର୍ମାର ଦାଦା ଦେବାନନ୍ଦ ମାଡକାମି ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀଙ୍କ ନେତୃତ୍ବରେ ଏଏସଆଇ ଅମୂଲ୍ୟ କୁମାର ଡୁରକା ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି କାଲିମେଳାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏ ନେଇ ପଡିଆ ଥାନରେ ୧୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରୀ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।