ଭୁବନେଶ୍ୱର – ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମର ମଧୁସୂଦନ ବେହେରା ଓ ସୁକୁରି ବେହେରାଙ୍କ ତିନି ଗୋଡିଆ ଶିଶୁପୁତ୍ର ସୁଦାମକୁ ସହାୟତାର ହାତ ବଢାଇଛି ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ । ଗୁରୁବାର ଦିନ ସ୍ଥାନୀୟ ନବୋଦୟ ଯୁବକ ସଂଘ ଠାରେ ଫାଉଣ୍ଡେସନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦିଆଯାଇଛି ।
ସଭାପତି ଅମିୟବାଳା ପରିଡ଼ା କହିଛନ୍ତି ଯେ ୧୧ ବର୍ଷର ବାଳକ ସୁଦାମ ବେହେରା ତିନୋଟି ଗୋଡ଼ ସହ ଜନ୍ମ ହୋଇଛି । ତା ସହିତ ନାଁ ଦେଖିପାରୁଛି, ନା କଥା କହିପାରୁଛି ନା ଠିକ୍ ସେ ଶୁଣିପାରୁଛି । ଚାଲିବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଅସମର୍ଥ ।ତାର ପିତା ଦିନ ମଜୁରୀ କରି ପରିବାର ପୋଷଣ କରନ୍ତି । ପୁଅର ଚିକିତ୍ସା ନିମନ୍ତେ ଅର୍ଥ ବାଧକ ।ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହାୟତା ଏବଂ ସୁପାରିଶ କ୍ରମେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସୁଯୋଗ ମିଳିଛି । ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟମାନେ ନିୟମିତ ଭାବରେ ସୁଦାମ ଓ ତାର ପରିବାର ବର୍ଗଙ୍କୁ ଦେଖାକରି ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ସହିତ ଦାୟିତ୍ୱରେ ଥିବା ବିଭାଗୀୟ ଡ଼ାକ୍ତରଙ୍କ ସହ ପରାମର୍ଶ କରିଛନ୍ତି । ସୁଦାମର ସୁସ୍ଥ ଜୀବନ ନିମନ୍ତେ ଟ୍ରଷ୍ଟ ତରଫରୁ ତାର ଚିକିତ୍ସା ଅଗ୍ରାଧିକାର ଭିତିରେ କରିବା , ଜଗା କାଳିଆଙ୍କ ଭଳି ଚିକିତ୍ସା ସେବା ଯୋଗାଇଦେବା ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ , ସୁଦାମର ପିତାମାତାଙ୍କର ରହିବା ସହିତ ଖାଇବା ସୁବିଧା ଡ଼ାକ୍ତରଖାନା ତରଫରୁ ମାଗଣାରେ ଯୋଗାଇ ଦେବା , ଜଗା କାଳିଆଙ୍କ ଭଳି ସୁଦାମ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା କୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ।
ଖୁବ୍ ଶୀଘ୍ର ଏକ ୫ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାର ଯୋଜନା ରହିଛି ।ଏତଦ୍ବ୍ୟତୀତ ଯଦି କେହି ସହୃଦୟ ବ୍ୟକ୍ତି ସୁଦାମର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଦୋବକୁ ଚାହାଁନ୍ତି, ତେବେ ଟ୍ରଷ୍ଟ ସହ ଯୋଗାଯୋଗ କରିବାକୁ ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ଶୁଭଶ୍ରୀ ଦାସ, ନିଦେ୍ର୍ଧଶକ ଅଭିଷେକ ପଟ୍ଟନାୟକ, ଦେବାଶିଷ ଚାଟାର୍ଜୀ, ଦୀପକ ପାତ୍ର ଓ ସମ୍ପାଦକ ସାଗର ସୁନ୍ଦର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।