ମାଲକାନଗିରି– ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ଠାରେ ପାପରମେଟେଲା ସବସେଣ୍ଟରର ମହିଳା ସ୍ୱାସ୍ଥ୍ୟ କର୍ମି ଅନିମା ବିଶ୍ୱାସଙ୍କ ବଦଳିକୁ ରାଜନୀତି ଜୋର୍ ଧରିଛି । କିଛି ଗୋଷ୍ଠୀ ତାଙ୍କ ବଦଳିକୁ ସମର୍ଥନ କରୁଥିବା ବେଳେ ଅ।ଉ କେତେକ ଗୋଷ୍ଠୀ ତାଙ୍କ ବଦଳିକୁ ବିରୋଧ କରିଛନ୍ତି ।
ତାଙ୍କ ବଦଳିକୁ ସମର୍ଥନ କରି ପିତାମ୍ବର ଖେମୁଡୁଙ୍କ ନେତୃତ୍ୱରେ ପାପରମେଟେଲା ପଞ୍ଚାୟତର କିଛି ଗ୍ରାମର ଶତାଧିକ ଜନସାଧାରଣ ଏକତ୍ରିତ ହୋଇ ମହିଳା ସ୍ୱାସ୍ଥ୍ୟ କର୍ମି ଅନିମା ବିଶ୍ୱାସ ଜଣେ ଲାଞ୍ଚୁଆ କର୍ମଚାରୀ, ମଶାରୀ, ପିଲା ଜନ୍ମ ପଞ୍ଜିକରଣ, ପ୍ରସବ ସମୟରେ ଲାଞ୍ଚ ମାଗି କାମ କରୁଥିବାରୁ ଆମେ ତାଙ୍କ ନାମରେ ଜିଲାପାଳଙ୍କୁ ଜଣାଇ ଥିଲୁ, ଜିଲାପାଳ ତାଙ୍କୁ ବଦଳି କରିଛନ୍ତି, ମାତ୍ର ପାପରମେଟେଲା ପଞ୍ଚାୟତର କିଛି ବ୍ୟକ୍ତି ତାଙ୍କ ବଦଳିକୁ ବାତିଲ କରିବାକୁ ଲାଗିଥିବାରୁ ସେମାନେ ଏହାର ଘୋର ପ୍ରତିବାଦ କରିଥିଲେ । ସେଭଳି ଲାଞ୍ଚୁଆ କର୍ମଚାରୀଙ୍କୁ ଆମ ପଞ୍ଚାୟତରେ ଆଉ ପୁରାଇଦେବୁ ନାହିଁ ବୋଲି ସ୍ୱର ଉଠାଇଥିଲେ ।
ପ୍ରକାଶ ଥାଉକି ମହିଳା ସ୍ୱାସ୍ଥ୍ୟ କର୍ମି ଅନିମା ବିଶ୍ୱାସଙ୍କ ବଦଳିକୁ ନେଇ ଅପରପକ୍ଷରେ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତର ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ପାପରମେଟେଲା ପଞ୍ଚାୟତର କିଛି ଗ୍ରାମର ଲୋକ ଅନିମାଙ୍କ ବିପକ୍ଷରେ ଜିଲାପାଳ, ବିଧାୟକ ଓ ସାଂସଦଙ୍କୁ ଭେଟି ଅଭିଯୋଗ କରି ବଦଳି କରିଥିବା ବେଳେ ପାପରମେଟେଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତାପ ଗଲରି ଏବଂ ପୂର୍ବତନ ସମିତି ସଭ୍ୟ ଦମ୍ବୁ ଗଲରି ନେତୃତ୍ୱରେ ସେହି ସମାନ ପଞ୍ଚାୟତର ଅନ୍ୟ କିଛି ଗ୍ରାମର ଗ୍ରାମବାସି ମହିଳା ସ୍ୱାସ୍ଥ୍ୟ କର୍ମି ଙ୍କର କାମକୁ ଭଲ ଦର୍ଶାଇ ବଦଳିକୁ ବାତିଲ କରିବାକୁ ଜିଲାପାଳ ଏବଂ ସିଡିଏମଓ ଅନୁରୋଧ କରିଥିବା ଦେଖିବାକୁ ମିଳିଛି ।
ଗୋଟିଏ ପଟେ କିଛି ଗ୍ରାମର ଲୋକ ମହିଳା ସ୍ୱାସ୍ଥ୍ୟ କର୍ମି ନାମରେ ଲାଞ୍ଚ ନେଇ କାମ କରୁଥିବା ଅଭିଯୋଗ କରିଥିବା ବେଳେ ସମାନ ପଞ୍ଚାୟତ ଅନ୍ୟ ଆଉ କିଛି ଗ୍ରାମର ଜନସାଧାରଣ ତାଙ୍କ ସପକ୍ଷରେ ବାହାରିଛନ୍ତି । ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତରେ ଦେଖାଦେଇଥିବା ଏହି ଜନଅସନ୍ତୋଷର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।