

ଏଠାରେ ବର୍ତମାନ ପ୍ରଶ୍ନ ଉଠୁଛି, ଏସପି ମାନଙ୍କର ଏଭଳି ବଦଳି ହେଉଛି କାହିଁକି? ଜଣେ ଏସପି ଏଠି ୨ ବର୍ଷ ୮ମାସ ଥିବା ବେଳେ ଅନ୍ୟମାନେ ଏତେ ଶୀଘ୍ର କାହିଁକି ଚାଲିଯାଉଛନ୍ତି । କୁହାଯାଉଛି ଯେ, ଅନୀରୁଦ୍ଧ ସିଂ ଏସପି ଥିବା ବେଳେ ଯେଉଁ ଛାପ ପକାଇଯାଇଥିଲେ ତାକୁ ପରବର୍ତୀ ଅଫିସର ମାନେ ରକ୍ଷା କରିବାରେ ବିଫଳ ହେଲେ । ବିଶେଷ କରି ଶ୍ରୀ ସିଂ ତାଙ୍କ ସମୟରେ ନିୟମିତ ବିଭିନ୍ନ ଥାନା ଗୁଡିକୁ ଗସ୍ତରେ ଯିବା ସହ ଅଚାନକ ଭାବେ ଡିଏସପି ମାନଙ୍କ ଅଫିସକୁ ପରିଦର୍ଶନରେ ଯାଉଥିଲେ । ଲୋକଙ୍କୁ ଭେଟିବା ସହ ସମସ୍ତ ଖବରକାଗଜରେ କଣ ଖବର ପ୍ରକାଶ ପାଇଲା ତାକୁ ଯାଂଚ କରୁଥିଲେ ।ଏହା ଛଡା ଲୋକସମ୍ପର୍କ ରକ୍ଷା କରିବାରେ ସେ ଅନେକ ଅଫିସରଙ୍କୁ ପଛରେ ପକାଇଥିଲେ । ସତେ ଯେମିତି ରାଉରକେଲା ଏସପି ସମସ୍ତଙ୍କ ପାଖରେ ଅଛନ୍ତି ଭଳି ଲୋକେ ମନେ କରୁଥିଲେ । ପରେ ଯେଉଁ ଅଫିସର ମାନେ ଆସିଲେ ସେମାନଙ୍କ ଭିତରୁ ଅନେକ ରାଉରକେଲାରେ ଅନେକ ସମୟ ନିଜର ସମସ୍ୟା ଲାଗି ରହିନପାରିବା ଭଳି ସମସ୍ୟା ରହୁଥିଲା ବୋଲି କୁହାଯାଉଥିବା ବେଳେ, ଅନେକ କେବଳ କିଛି ଲୋକଙ୍କର ପ୍ରଶଂସାରେ ଖୁସି ହୋଇ ଥାନା ଗୁଡିକୁ ଜିବା ବନ୍ଦ କରିଦେଲେ । ଡିଏସପି ମାନେ ଅଧିକ କ୍ଷମତା ପାଇଲେ, ସେମାନେ ମଧ୍ୟ ନିଜ ହିସାବରେ ଚାଲିଲେ । ଏହା ଦ୍ୱାରା ଥାନା ଗୁଡିକ ଏକ ପ୍ରକାର କିଛି ଥାନା ବାବୁଙ୍କ ଲାଗି ନିଜ େପୈତୃକ ସମ୍ପତି ହୋଇଜିବା ସହ ମନମାନି ଚାଲିଲା ବୋଲି କୁହାଯାଉଛି । ସେମାନେ ଫୋନ୍ ଉଠାଇଲେ ନାହିଁ, ପେଟ୍ରୋଲିଂ ବନ୍ଦ ହେଲା । ଏହା ଦ୍ୱାରା ପୁଲିସ ପେଟ୍ରୋଲିଂର ନାମୋନିସାନ ରହିଲା ନାହିଁ, ଲୋକେ ଥାନାକୁ ବାରମ୍ବାର ଦୈାଡି ଅନେକ ସମୟରେ ନ୍ୟାୟ ପାଇବାରେ ବିଳମ୍ବ ମଧ୍ୟ ହେଲା । କିଛି ଅସାମାଜିକ ତତ୍ୱ ପୁଲିସର ଢ଼ିଲା ପେଟ୍ରୋଲିଂ ଓ ଏଭଳି ଅବ୍ୟବସ୍ଥାର ଫାଇଦା ଉଠାଇଲେ । ସେମାନଙ୍କର ଅପରାଧିକ ନେଟୱାର୍କ ଅନାୟାସରେ ବୃଦ୍ଧି କରିଚାଲିଲେ ।
ଚୋରୀ ଏଭଳି ବଢିଲା ଯେ, ରାଉରକେଲା ଏସପି ଓ ଏଡିଏମଙ୍କ ବାସଭବନ ସମ୍ମୁଖ ଶିକ୍ଷା ବିଭାଗ ଅଧିକାରୀଙ୍କ ଘର ଆଗରୁ ଜଣେ ଅଫିସରଙ୍କ ମୋଟର ସାଇକେଲ ଦିନ ବେଳେ ଚୋରୀ ମଧ୍ୟ ହେଲା । ସହରରେ ଦିନ ରାତି ଅପରାଧୀ ବୁଲିବା ସହ ଶେଷରେ ଦୁଇ ଦୁଇଟି ଗୁଳିକାଣ୍ଡ ସେଥିରେ ଜଣେ ପ୍ରାଣ ହରାଇବା ଘଟଣା ଏଯାଏଁ ସହରବାସୀ ମନରୁ ପାସୋରି ନାହାଁନ୍ତି । ଜୁଆ, ବ୍ରାଉନସୁଗାର, ଗଞ୍ଜେଇ, ବେଆଇନ ମଦ କାରବାର ବେପାର ବେଶ୍ ସୁରଖୁରରେ ମଧ୍ୟ ଚାଲିଲା । ଜମି ଲୁଟେରା ମାନେ ପୁଲିସର ସହଯୋଗ ପାଇ ଜମି ଲୁଟିଲେ, ଜଣେ ଫାଣ୍ଡି ବାବୁ ୬ ବର୍ଷ କାଳ ଗୋଟିଏ ଫାଣ୍ଡିରେ ରହି କୁଆଡେ ଏସପି ଅଫିସର ୪୦ ପ୍ରତିଶତ ଖର୍ଚ୍ଚ କଥା ବୁଝି ମାଲା ମାଲ୍ ହେଲେ , ୬/୭ଟି ଆଦିବାସୀଙ୍କ ଯାଗାକୁ ନାଲି ଆଖି ଦେଖାଇ ଦଖଲ କଲେ ବୋଲି ଆଲୋଚନା ଚାଲିଛି । କିଛି ଡିଏସପି ରୋଜଗାରକୁ ମୁଖ୍ୟ କରି ଲୋକଙ୍କୁ ସୁରକ୍ଷା ଦେବା କଥା ଭୁଲିଗଲେ । ଯଦି କେହି ଏକଥାକୁ ଉଠାଇଲା ତେବେ କଳେ ବଳେ ତାକୁ ପୁଲିସି ଗିରି ମଧ୍ୟ ଦେଖାଇବାକୁ ଏଠି ଅଫିସର ପଛାଇଲେ ନାହିଁ । ଏଭଳି ସ୍ଥିତିରେ ଲୋକେ ପୁଲିସ ସେବା ପାଇବେ କେମିତି ତାହା ମଧ୍ୟ ବିଚାର କରାଯାଇପାରେ । ଏହା ବ୍ୟତୀତ ଆହୁରୀ ଅନେକ କଥା ଯାହା ପ୍ରକାଶ କରିବା ସମ୍ଭବ ନୁହେଁ । ଯଦି ପୁଲିସ ବ୍ୟବସ୍ଥା ଗୋଟାଏ ସହରରେ ଏତେ ତଳକୁ ଖସିଯାଏ ତେବେ ଲୋକେ ସେବା ପାଇବେ କେଉଁଠୁ ତାହା ବୋଧେ ରାଜ୍ୟ ପୁଲିସ ମୁଖ୍ୟ ବୁଝିଗଲେ ଓ ସେଥିଲାଗି ବଦଳିକୁ ଲଗାଇ ରଖିଲେ ବୋଲି କୁହାଯାଉଛି । ତେବେ ବର୍ତମାନ ଆସିଥିବା ଏସପି ଏଠାରେ ପ୍ରୋବେଶନ ସମୟ ବିତାଇଛନ୍ତି । ସେ ମଧ୍ୟ ଏସପି ଥିବା ସମୟରେ ବିଭିନ୍ନ ଯାଗାରେ ଦମଦାର ରେକର୍ଡ କରିଛନ୍ତି । ଦେଖାଯାଉ ସେ ଏଠାରେ ବର୍ଷିକିଆ ଏସପି ହେବେ, ନାଁ ଅନିରୁଦ୍ଧ ବାବୁଙ୍କ ଭଳି ରହିବା ସହ କିଛି ନୂଆ କାମ କରିଦେଖାଇବେ ତାହା ସମୟ କହିବ ।