ବିଜେଡିର ଛାତ୍ରମାନଙ୍କୁ ଉପଦେଶ ଦେଉଥିବା ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଭିତରେ ଛାତ୍ରଙ୍କର ସ୍ୱାର୍ଥ ପ୍ରତି ଅଣଦେଖା କରିଛନ୍ତି । ବିଶେଷକରି କରୋନା ସମୟରେ ଅଭିଭାବକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନେ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଚଢ଼ା ଫିସ୍ ଦେବାକୁ ଅସମର୍ଥ ହେଉଥିବା ବେଳେ ଏଥିପ୍ରତି ମୁଖ୍ୟମନ୍ତ୍ରୀ ନଜର ଦେଉନାହାନ୍ତି । ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତି ଶିକ୍ଷା ବିକାଶ କ୍ଷେତ୍ରରେ ବିଜେଡି ସରକାରର ଦୁର୍ବଳତାକୁ ପରିପ୍ରକାଶ କରୁଛି ବୋଲି ସେ କହିଛନ୍ତି ।
ଓଡିଶାରେ ୨୦ ବର୍ଷରେ ହୋଇଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ବିଜେଡିର କେହି ଛାତ୍ର ନେତା ପଦେ କହିଛନ୍ତି କି? ତେବେ ଏ ଛାତ୍ର ସଂଗଠନ କେଉଁ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ । ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ର, ମାଧବୀଲତା, ସ୍ମିତାରାଣୀ, ପରୀ, ପିହୁ ପ୍ରସଙ୍ଗରେ ଅପରାଧିଙ୍କୁ ନବୀନ ସରକାର ଘଂଟ ଘୋଡାଉଥିବା ବେଳେ ଛାତ୍ର ବିଜେଡିର ପ୍ରତିବାଦ ଅଛିକି? ଉପା ସରକାର ସମୟରେ ତୈଳ ଦର ବୃଦ୍ଧିକୁ ନେଇ ରାସ୍ତାଘାଟରେ ଚିତ୍କାର କରୁଥିବା ଛାତ୍ର ବିଜେଡି ମୋଦି ସରକାର ବିପକ୍ଷରେ ନୀରବ । ମୋଦି ସରକାରର ଓଡିଶା ପ୍ରତି ବୈମାତୃକ ମନୋଭାବ ଓ କୁଶାସନ ବିରୁଦ୍ଧରେ ମଧ୍ୟ ବିଜୁ ଛାତ୍ର ଜନତା ନୀରବ । ଅନ୍ୟ ପକ୍ଷରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଓଡିଆ ଜଣାନାହିଁ । ସେ ଓଡିଶାର ଐତିହ୍ୟ କଥା କହିବା ହାସ୍ୟାସ୍ପଦ ବୋଲି ଶ୍ରୀ ନୱାଜ କହିଛନ୍ତି ।