-
ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବ ରଖିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
ଭୁବନେଶ୍ବର ଠାରେ ଅନୁଷ୍ଠିତ ବିଜେଡି ରାଜ୍ୟ ପରିଷଦ ବୈଠକରେ ବାଲେଶ୍ବରର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଲେଶ୍ବରରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।
ନିଜର ତିନିମିନିଟିଆ ଭାଷଣରେ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହା ଆମର ଷ୍ଟେଟ କାଉନସିଲ ମିଟିଂ ଥିଲା। ତେଣୁ ସମସ୍ତ କାଉନସିଲ ସଦସ୍ୟମାନଙ୍କୁ ନିଜ ଜିଲ୍ଲାର ବିକାଶ ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ମୁଁ ସାଂସଦ ଥିବାବେଳେ ମଧ୍ୟ ଏହି କଥା ଦାବି କରିଥିଲି। ପୁଣି ଥରେ ପ୍ରସ୍ତାବ ରଖିଲି। ଭାରତର ବହୁ ରାଜ୍ୟରେ ଏକାଧିକ କୃଷି ବିଶ୍ବବିଦ୍ୟାଳୟ ଥିବାର ଦୃଷ୍ଟାନ୍ତ ଥିବାବେଳ ଓଡ଼ିଶାରେ ମାତ୍ର ଗୋଟିଏ ରହିଛି। ଏହା ଓୟୁଏଟି ବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନାମରେ ଭୁବନେଶ୍ୱର ଠାରେ ଅବସ୍ଥିତ। ସୁତରାଂ ଦ୍ଵିତୀୟ କୃଷି ବିଶ୍ଵବିଦ୍ୟାଳୟର ଆବଶ୍ୟକତା ଥିବାରୁ ବାଲେଶ୍ଵର ଏଥିପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଶ୍ରୀଜେନା କହିଥିଲେ।
ଏ ସମ୍ପର୍କରେ ଆହୁରି ପ୍ରାଞ୍ଜଳ କରି ସେ ତାଙ୍କ ଭାଷଣରେ କହିଥିଲେ ଯେ, ବାଲେଶ୍ବର ହେଉଛି ଏକ କୃଷିପ୍ରବଣ ଜିଲ୍ଲା। ଜିଲ୍ଲାରେ ପ୍ରାୟ ୭୬ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି। ଏଠାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ କୃଷିକ୍ଷେତ୍ରର ବ୍ୟାପକ ବିକାଶ ହେବା ସହ କୃଷିକୁ ନେଇ ଉଚ୍ଚତର ଶିକ୍ଷା, କୃଷି ସମ୍ପର୍କିତ ଗବେଷଣା, ସ୍ଥାୟୀ କୃଷି ବିକାଶ ଏବଂ କୃଷି ସମ୍ପ୍ରଦାୟର ଜୀବନଜୀବିକା ଆହୁରି ସୁରକ୍ଷିତ ହୋଇପାରିବ। ବାଲେଶ୍ଵରରେ କୃଷି ବିଦ୍ୟାଳୟ ପ୍ରତିଷ୍ଠା ହେଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ କୃଷି ଗବେଷଣା କେନ୍ଦ୍ର ହେବା ସହ ସେଠାରେ ଦେଶବିଦେଶରୁ କୃଷି ବୈଜ୍ଞାନିକମାନେ ଆସି କାମ କରିପାରିବେ। ଏଥିସହ ଆମ ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହେବା ସଙ୍ଗେ ସଙ୍ଗେ ସମଗ୍ର ଉତ୍ତର ଓଡ଼ିଶା ଉପକୃତ ହେବ।
ବାଲେଶ୍ଵର ଜିଲ୍ଲାରେ କୃଷି ଭିତ୍ତିକ ଶିକ୍ଷାର ଏକ ନୂତନ ଦିଗନ୍ତ ସୃଷ୍ଟି ହେବା ସହ କୃଷକ କଲ୍ୟାଣ ପାଇଁ ନୂଆ ଦିଗ ସୃଷ୍ଟି ହେବ ବୋଲି ଶ୍ରୀଜେନା ତାଙ୍କ ପ୍ରସ୍ତାବ ଉପସ୍ଥାପନ ବେଳେ ଟହିଛନ୍ତି। ସରକାର ଏହାକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି।