
ନୂଆଦିଲ୍ଲୀ,ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଅଗ୍ରାଧିକାରଭିତ୍ତିରେ ସାରା ଦେଶରେ ଲାଗୁ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନିୟମର ପ୍ରବର୍ତ୍ତନ ବିଷୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର.କେ. ସିଂହ ଘୋଷଣା କରିଛନ୍ତି । ବର୍ତ୍ତମାନର ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହା ଲାଗୁ ହୋଇଛି । ଉଭୟ ନୂଆ ଓ ଅଣପାରମ୍ପରିକ ଉର୍ଜ୍ଜା ସହିତ ସମଗ୍ର ଶକ୍ତି କ୍ଷେତ୍ରର ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଉଦ୍ଦିଷ୍ଟ । ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି ନୂଆ ନିୟମ ବିଦ୍ୟୁତ ଉପଭୋକ୍ତାଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ଅଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବ । ସେ କହିଛନ୍ତି ଯେ ଶକ୍ତି ଉଦ୍ୟୋଗ ଖାଉଟିଙ୍କୁ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏବଂ ସେମାନଙ୍କର ବିଶ୍ୱସ୍ତ ସେବା ଓ ଉତ୍ତମ ମାନର ବିଜୁଳି ପାଇବାର ଅଧିକାର ରହିଛି । ଏହି ବିଚାରରୁ ସରକାର ଗୁରୁତ୍ୱ ଦେଇ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ଅଧିକାର ସମ୍ବଳିତ ନୂଆ ନିୟମ ପ୍ରବର୍ତ୍ତନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ସାରା ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟୁତ ବଣ୍ଟନକାରୀ କଂପାନୀ ଏକଚାଟିଆ କାରବାର ଚଳାଇଛନ୍ତି । ଏଭଳି ସ୍ଥିତିରେ ବିଜୁଳି ଉପଭୋକ୍ତାଙ୍କର କୌଣସି ବିକଳ୍ପ ନାହିଁ । ଏଣୁ ବିଦ୍ୟୁତ ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ନିମନ୍ତେ ଏହି ନିୟମର ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ନିୟମ କାନୁନ ଦେଶରେ ବେପାର ବଣିଜକୁ ସୁଗମ କରିବା ସହ ଏହାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନିୟମର କାର୍ଯ୍ୟକାରିତା ଦ୍ୱାରା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆଗ୍ରହୀ ଉପଭୋକ୍ତାଙ୍କୁ ଆବଶ୍ୟକସ୍ଥଳେ ସେମାନଙ୍କ ଦେୟ ଫେରସ୍ତ ଏବଂ ଅନ୍ୟାନ୍ୟ ସେବା ପାଇଁ ନିର୍ଦ୍ଧାରିତ ସମୟସୀମା ଓ ବ୍ୟବସ୍ଥାବଳୀ ଧାର୍ଯ୍ୟ କରାଯାଇଛି । ଏହି ନିୟମକୁ ଜାଣିଶୁଣି ଅବଜ୍ଞା କଲେ କିମ୍ବା ଉପଭୋକ୍ତାଙ୍କ ଅଧିକାରକୁ ଉଲ୍ଲଙ୍ଘନ କରାଗଲେ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ । ସର୍ବସାଧାରଣ ଉପଯୋଗ ସେବା ଯୋଗାଣ କ୍ଷେତ୍ରରେ ଉପଭୋକ୍ତାମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ନୂଆ ନିୟମ ଦ୍ୱାରା ବର୍ତ୍ତମାନର ୩୦ କୋଟି ବିଜୁଳି ଉପଭୋକ୍ତା ଏବଂ ଭବିଷ୍ୟତର ଉପଭୋକ୍ତାମାନେ ଉପକୃତ ହେବେ । ଏଥିପାଇଁ ସବୁ ବିଜୁଳି ଉପଭୋକ୍ତା, ବିଶେଷକରି ଗ୍ରାମାଞ୍ଚଳର ବିଜୁଳି ଗ୍ରାହକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଅତ୍ୟନ୍ତ ଉପଭୋକ୍ତା ଅନୁକୂଳ ଏହି ନୂଆ ନିୟମକାନୁନ ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏବଂ ଡିସ୍କମଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।