ଭୁବନେଶ୍ୱର – ଜୀବନ ଓ ମୃତୁ୍ୟକୁ କୌଣସି ଭାଷାରେ ପରିଭାଷିତ କରିହୁଏନି । ଏହା ଅନୁଭବ ଓ ଉପଲବ୍ଧିର କଥା । ଜୀବନ ଓ ମୃତୁ୍ୟର ତତ୍ୱକୁ ହୃଦୟଙ୍ଗମ କରିବା ପାଇଁ ନିଜକୁ ଚେତନାର ଉଚ୍ଚତମ ସ୍ତରରେ
ସ୍ଥାପିତ କରିବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଗୁରୁବାର ଭୁବନେଶ୍ୱରରେ ‘ଶ୍ରୁତିନ୍ୟାସ’ର ମୁଖ୍ୟ ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆୟୋଜିତ ଜୀବନ ନିର୍ମାଣ ଶିବିରକୁ ଉଦ୍ଘାଟନ କରି ରାଜ୍ୟପାଳ କହିଲେ ଯେ ବାଣୀରେ ମଧୁରତା, ହୃଦୟରେ ପ୍ରେମ ଓ ଆଖିରେ କରୁଣା ସମସ୍ତଙ୍କର ଧ୍ୟେୟ ହେବା ଉଚିତ । ଆତ୍ମାର ପରମାତ୍ମା ସହ ସଂଯୋଗ ହିଁ ଈପସ୍ଥିତ ଲକ୍ଷ୍ୟ । ଭଗବାନ ନୁହେଁ ସଂଥମାନେ ହିଁ ଲୋକମାନଙ୍କୁ ମାର୍ଗ ଦର୍ଶନ କରାନ୍ତି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।
ମୁଖର ପ୍ରସନ୍ନତା ଭାବ ହିଁ ଦିବ୍ୟତାର ପ୍ରତୀକ । ଏକ ସୁଖୀ ଓ ଅର୍ଥପୂର୍ଣ୍ଣ ଜୀବନ ପାଇଁ ଏହାକୁ ଆଧାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଜୀବନ ଉପରେ ଖାଦ୍ୟର ବିଶେଷ ପ୍ରଭାବ ରହିଛି । ଏହାକୁ ସଠିକ ଢଙ୍ଗରେ ପରିଚାଳନା କରିବା ସହିତ ନିଜ ଜୀବନରେ ଏହାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ବିଚାରରୁ ସଂକଳ୍ପ ଓ ସଂକଳ୍ପରୁ କ୍ରିୟାର ଉଦ୍ଭବ ହୋଇଥାଏ । ଏହି କ୍ରିୟା ଅଭ୍ୟାସରେ ରୂପାନ୍ତରିତ ହୋଇ ସଂସ୍କାରରେ ପରିଣତ ହୋଇଥାଏ । ଏହି କ୍ରମବିକାଶକୁ ଗୁରୁତ୍ୱ ଦେଇ ନିଜ ଜୀବନ ନିର୍ମାଣ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚଂନ୍ଦ୍ର ଷଡ଼ଙ୍ଗୀ, ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ ପରିବ୍ରାଜକ ପ୍ରମୁଖ ଜୀବନର ଲକ୍ଷ୍ୟ ଓ ମାର୍ଗ ସଂପର୍କରେ ବକ୍ତବ୍ୟ ରଖିଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ସତ୍ୟାର୍ଥ ପ୍ରକାଶର ଓଡ଼ିଆ ଅନୁବାଦ, ସତ୍ୟର ସଂଧାନେ, ଈଶ୍ୱରଙ୍କ ନାମ, ସ୍ମୃତି ସୌରଭ ଆଦି ପୁସ୍ତକକୁ ଲୋକାପର୍ଣ କରିଥିଲେ ।