ମାଲକାନଗିରି– ମାଲକାନଗିରି ଉପ କାରାଗାରରେ ଥିବା ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠିଛି । ନକ୍ସଲ କେସରେ ପୋଲିସ ଜେଲକୁ ପଠାଇ ଥିଲା ଯନ୍ଦ୍ରାଗୁଡା ଗ୍ରାମର ବାମନ କୁଞ୍ଜାମିଙ୍କୁ । ହେଲେ ଚିକିତ୍ସା ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେ ନକ୍ସଲ କେସରେ ଜେଲ ଯାଇଥିଲେ, ହେଲେ ଶେଷରେ ତାଙ୍କ ଶବ ଫେରିଲା ଘରକୁ । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଅଭାବନିୟ ଦୃଶ୍ୟ ।
୨୦୧୭ ମସିହାରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୋଲିସ ଯନ୍ଦ୍ରାଗୁଡା ଗ୍ରାମର ବାମନ କୁଞ୍ଜାମିଙ୍କୁ ଘରୁ ଉଠାଇ ଆଣି ନକ୍ସଲ କେସରେ ଜେଲ ପଠାଇଥିଲା । ହେଲେ ଗତ ତିନି ବର୍ଷ ଧରି ତାଙ୍କୁ କୋର୍ଟରୁ ଜାମିନ୍ ମିଳିଲା ନାହିଁ । ଗରିବ ଆଦିବାସୀ ପରିବାର ଲୋକେ ବଡ ଓକିଲ ମଧ୍ୟ ଧରି ପାରିଲେ ନାହିଁ । ଫଳରେ ଜେଲରେ ରହି ଜାମିନ୍ ଅପେକ୍ଷାରେ ଶେଷରେ ଆର ପାରିକୁ ଚାଲି ଗଲେ ବାମନ କୁଞ୍ଜାମି । ଗତ କିଛି ମାସ ଧରି ତାଙ୍କର ଦେହ ଖରାପ ଥିଲା, ହେଲେ ଏ ସଂପର୍କରେ ପରିବାର ଲୋକଙ୍କୁ ଜେଲ୍ ପ୍ରଶାସନ କିଛି ଜଣାଇ ନଥିବା ଅଭିଯୋଗ ହୋଇଛି । ଏମିତି କି ବାବନ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଗତ ୧୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଛି । ହେଲେ ଜୀବିତ ଅବସ୍ଥାରେ ପରିବାର ଲୋକଙ୍କୁ କିଛି ଅବଗତ କରାଯାଇନଥିବା ବେଳେ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି ଶବ ନେବା ଲାଗି । ଜଣେ ବିଚାରାଧିନ କଏଦୀଙ୍କ ଅଚାନକ ମୃତ୍ୟୁକୁ ନେଇ ଏବେ ସବୁ ମହଲରେ ପ୍ରଶ୍ନ ଉଠିଛି । ନକ୍ସଲ କେସରେ ପୋଲିସ ଜେଲକୁ ପଠାଇଥିବା ବାମନ କୁଞ୍ଜାମିଙ୍କ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ବାମନ କୁଞ୍ଜାମିଙ୍କ ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ପରିବାର ଲୋକେ । ତେବେ ଏହାକୁ ନେଇ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସଳୟର ସୁପରିଟେଣ୍ଡେଣ୍ଟ ଏ.କେ. ଭୋଳଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଦିର୍ଘ ଦିନ ଧରି ମଧୁମେହ ରୋଗରେ ପୀଡିତ ଥିବା ବାବନ କୁଞ୍ଜାମିଙ୍କ କିଡିନି ଖରାପ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଯାହାକି ଶବ ବ୍ୟବଚ୍ଛେଦ କରିବା ପରେ ଡାକ୍ତରୀ ଟିମ୍ ଜାଣି ପାରିଛନ୍ତି । ତେବେ ଦିର୍ଘ ଦିନ ଧରି ରୋଗରେ ପୀଡିତ ଥିବା ଜଣେ କଏଦୀଙ୍କ ଉଚିତ୍ ଚିକିତ୍ସା କରାଗଲା ନାହିଁ କାହିଁକି ଓ ପରିବାର ଲୋକଙ୍କୁ ପୂର୍ବରୁ ଏହି ସୂଚନା କେମିତି ଦିଆ ଯାଇନଥିଲା ତାହାକୁ ନେଇ ମାନବ ଅଧିକାର କମିଶନଙ୍କୁ ପତ୍ର ଲେଖିଛନ୍ତି ଗାଁ ଲୋକେ ।