
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଯେପରି ରହସ୍ୟ ମୟ, ତାଙ୍କର ଅଧିଷ୍ଠାନ ପୂନ୍ୟ ନୀଳାଚଳ ଧାମ ମଧ୍ୟ ସେହିପରି ଅତ୍ୟନ୍ତ ରହସ୍ୟମୟ ଓ ମହିମା ମଣ୍ଡିତ |ବିଭିନ୍ନ ପୁରାଣ ଆଦି ଗ୍ରନ୍ଥ ମାନଙ୍କରେ ସମଗ୍ର ଉତ୍କଳ ପ୍ରଦେଶରେ ଏହି କ୍ଷେତ୍ରର ଭୂୟାଂଶି ପ୍ରଶଂସା ଓ ମାହାତ୍ମ୍ୟର ବହୁଳ ବର୍ଣ୍ଣନା କରାଯାଇଛି |ହଜାର ହଜାର ବର୍ଷର ଏହି କ୍ଷେତ୍ରର ପ୍ରାଚୀନତା, ଐତିହ, ଇତିହାସ, ପରମ୍ପରା ସମେତ ପଞ୍ଚତୀର୍ଥ, ମହୋଦଧି, ଚକ୍ରତୀର୍ଥ, ଶ୍ରୀକ୍ଷେତ୍ରରେ ସୁପ୍ରତିଷ୍ଠିତ ବିଭିନ୍ନ ଦେବା ଦେବୀଙ୍କ ମାହାତ୍ମ୍ୟ, ଶଙ୍ଖ କ୍ଷେତ୍ର, ସ୍ୱର୍ଗଦ୍ୱାର, ବଡଦାଣ୍ଡ, ଶରଧାବାଲି, ସାତସାହିର ଐତିହ, ଜାଗା ଆଖଡ଼ା ର ପ୍ରତିଷ୍ଠା, ମିଠା ଅନୁଷ୍ଠାନର ଉତ୍ପତି ଓ ପ୍ରତିଷ୍ଠା, ବିଭିନ୍ନ ସମୟରେ ସୃଷ୍ଟି ଧାର୍ମିକ ପରମ୍ପରା, ସାହିଯାତ୍ରା, ସର୍ବୋପରେ କ୍ଷେତ୍ରର ବିଭିନ୍ନ ନାମକରଣ ସମ୍ବନ୍ଧରେ ଅନେକ ତଥ୍ୟ ଏହି ଉପାଦେୟ ଗ୍ରନ୍ଥରେ ପ୍ରଥମ ଥର ନିମନ୍ତେ ସନ୍ନିବେଶୀତ ହୋଇଛି | ଅନେକ ବିଦ୍ୱାନ, ଗବେଷକ ମାନେ ସ୍ୱତନ୍ତ୍ର ବିଷୟ ବସ୍ତୁ ଉପରେ ତତ୍ୱ ଓ ତଥ୍ୟ ଭିତିକ ନିବିନ୍ଧମାନ ପ୍ରଦାନ କରିବା ସମେତ ବରିଷ୍ଠ ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ଦ୍ୱାରା ସଂକଳିତ ତଥା ସୁସମ୍ପାଦନାରେ ଗ୍ରନ୍ଥଟି ପାଠାଗାର ଓ ସାଧାରଣ ପାଠକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି ବୋଲି ମୁଖ୍ୟ ଅତିଥି ପୂଜ୍ୟ ମଠଧୀଶ ସୁବଳ ଚରଣ ଦାସ ମହାରାଜ ଏବଂ ସଂମ୍ମାନିତ ଅତିଥି ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ଉପସଭାପତି ଶ୍ରୀଯୁକ୍ତ ରାଜକିଶୋର ମିଶ୍ର ପ୍ରମୁଖ ମତବ୍ୟକ୍ତ କରିଥିଲେ |ଏହି ଐତିହ ଗ୍ରନ୍ଥର ଲୋକାର୍ପଣ ଓ ସମୀକ୍ଷା ଉତ୍ସବର ଉଦଘାଟନ ଉତ୍ସବ ଅବସରରେ ନରେଶ ଚନ୍ଦ୍ର ଦାଶ ଓ ଡକ୍ଟର କଲ୍ୟାଣୀ ନନ୍ଦୀ ଶତପଥି ସମବେତ ଶ୍ରୀଜଗନ୍ନାଥ ଧ୍ୟାନ ମନ୍ତ୍ର ଆବୃତ୍ତି କରିବା ପରେ ଗ୍ରନ୍ଥର ସମ୍ପାଦକ ଡକ୍ଟର ଭାସ୍କର ମିଶ୍ର ଉପସ୍ଥିତ ଅତିଥି ଓ ବିଦ୍ୱାନ ମାନଙ୍କୁ ସ୍ୱାଗତ ଜଣାଇଥିଲେ |ଭୁବନେଶ୍ୱର କଳାମଣିମା ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଏହି ମହତ୍ୱପୂର୍ଣ୍ଣ ପୁସ୍ତକ ର ସମୀକ୍ଷା କରିଥିଲେ ଗବେଷକ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ |୬୦୦ ଶହ ପୃଷ୍ଠା ବିଶିଷ୍ଟ ଏହି ଐତିହ୍ୟ ଗ୍ରନ୍ଥ ଉପରେ ବିଦ୍ୱାନ ସର୍ବଶ୍ରୀ ଡକ୍ଟର ଉମେଶ ଚନ୍ଦ୍ର ଚି଼ହ୍ନରା, ଡକ୍ଟର ତୁଳସୀ ଓଝା, ଜଟାଧାରୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗୋଛିକାର, କୃଷ୍ଣ ଚନ୍ଦ୍ର ମହାପାତ୍ର, ରାଧାନାଥ ପ୍ରତିହାରୀ, ଶ୍ରୀକାନ୍ତ ମହାନ୍ତି, କୃଷ୍ଣ ଚନ୍ଦ୍ର ରଥ, ବିଶ୍ୱନାଥ ସାମନ୍ତରାୟ, ସଦାଶିବ ମିଶ୍ର ପ୍ରମୁଖ ମତପ୍ରଦାନ କରି ଏଭଳି ଗ୍ରନ୍ଥ ଓଡିଶା ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ତଥା ପାଠାଗାର ଇତ୍ୟାଦିରେ ସଂଗୃହିତ ହେବା ଏକାନ୍ତ ଆବଶ୍ୟକ ଅଟେ |ସଭା ପରିଚାଳନା କରିଥିଲେ ଅଭିନନ୍ଦନୀକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, କଲମଣିମା ଟ୍ରଷ୍ଟ ର ପ୍ରତିଷ୍ଠାତା ମହେଶ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଜଣାଇଥିଲେ |ଆଲୋଚନା ଚକ୍ରରେ ଗବେଷକ, ବିଦ୍ୱାନ ଓ ଲେଖକ ମାନଙ୍କୁ ଗ୍ରନ୍ଥ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା |