-
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ଯାଇ ନିଜେ ଭାଙ୍ଗି ପଡ଼ିଛନ୍ତି ଶିକ୍ଷକ କର୍ମଚାରୀ
ଶିବରାମ ଚୌଧୁରୀ,ବେଲଗୁଣ୍ଠା
ଶିକ୍ଷା ବ୍ୟବସ୍ଥାକୁ ସାର୍ବଜନୀନ କରିବା ପାଇଁ ଅହରହ ପ୍ରଚେଷ୍ଟା କରୁଥିବା ସରକାର କିନ୍ତୁ ପଥର ପାଲଟି ଯାଇଛନ୍ତି ଓଡ଼ିଶାର 177ଟି ଅଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ କର୍ମଚାରୀଙ୍କ ପାଇଁ I ଏହି ବିଦ୍ୟାଳୟ ଗୁଡିକରେ ଦୀର୍ଘ 25 ରୁ 30 ବର୍ଷ ଧରି କାର୍ଯ୍ୟ କରୁ୍ଥିବା ଶିକ୍ଷକ କର୍ମଚାରୀମାନେ ଅପରାହ୍ଣ ବୟସରେ ପହଞ୍ଚି ସାରିଥିଲେ ମଧ୍ୟ ନିଜର ସେବା ବଦଳରେ କୌଣସି ପ୍ରକାର ଅନୁଦାନ ନ ପାଇ ଅତି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି I ସେହିପରି ଅଭାବ ଅନଟନ ଭିତରେ ନିଜର ଦୁର୍ବଳ ମାନସିକତା ଭିତରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିବାରେ ଅସମର୍ଥ ହେବା ଫଳରେ ଏହାର କୁପରିଣାମ ଭୋଗୁଛନ୍ତି ବିଦ୍ୟାଳୟରେ ପଢୁଥିବା ନୀରିହ ଛାତ୍ରଛାତ୍ରୀ I ଅନୁଦାନ ଅଭାବରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର କୌଣସି ଊନ୍ନତି ହୋଇ ନ ପାରିବା ଯୋଗୁଁ ପାଠ ପଢା ନିମିତ୍ତ କୌଣସି ମୌଳିକ ସୁବିଧା ନ ପାଇ ଗ୍ରାମାଞ୍ଚଳ ଗୁଡ଼ିକରେ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ଛାଡୁଛନ୍ତି ଯାହା ସରକାର ଜାଣୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜି ରହିବା ଶିକ୍ଷା ବ୍ୟବସ୍ଥା ପ୍ରତି କୁଠାରଘାତ ସଦୃଶ ହୋଇଛି I ସୂଚନା ଥାଉ କି 1994 ଶିକ୍ଷାନୀତିରେ ତତ୍କାକାଳୀନ ସୁନାମଧନ୍ୟ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାର ପ୍ରତି ପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇ ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ I ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଓଡ଼ିଶାର ବହୁ ପଞ୍ଚାୟତରେ ସ୍ଥାନୀୟ ଜନସାଧାରଣ ନିଜ ନିଜର ପ୍ରଚେ଼ଷ୍ଟାରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ସହ ଉଚ୍ଚ ଡିଗ୍ରୀ ଧାରୀ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ଯ ନିଯୁକ୍ତି କରି ସରକାରୀ ଅନୁଦାନରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଆଶା କରି ବସିଥିଲେ I କିନ୍ତୁ 1999 ମହାବାତ୍ୟା ପରେ ମାନ୍ୟବର ଓଡ଼ିଶା ସରକାର ଆର୍ଥିକ ସମସ୍ୟାର ଆଳ ଦେଖାଇ ସମସ୍ତ ଅନୁଦାନ ବନ୍ଦ କରିଦେଲେ I ଫଳରେ ବିଦ୍ୟାଳୟ ଗୁଡ଼ିକର ହଜାର ହଜାର ଶିକ୍ଷକ କର୍ମଚାରୀ ବାରମ୍ବାର ରାଜ ରାସ୍ତାକୁ ଓହ୍ଳାଇବା ପରେ 2004 ମସିହାରେ ବିଦ୍ୟାଳୟ ଗୁଡିକ ପାଇଁ ବ୍ଳକ୍ ଗ୍ରାଣ୍ଟ୍ ବ୍ୟବସ୍ଥା କରି ଦୀର୍ଘ ଦିନ ଧରି ଶିକ୍ଷକ ମାନଙ୍କୁ ଭୁଆଁ ବୁଲାଇଲେ I 2015 ମସିହାରେ ରାଜ୍ୟ ସରକାର 566 ଟି ବିଦ୍ୟାଳୟ ମଧ୍ୟରୁ 399 ଟି ଉଚ୍ଚ ବିଦ୍ୟାଲୟକୁ ଅନୁଦାନ ଘୋଷଣା କରିଥିଲେ ମଧ୍ୟ ଏହା ଶିକ୍ଷକ କର୍ମଚାରୀଙ୍କୁ ଲଲିପପ୍ ଦେବା ଭଳି କାର୍ଯ୍ୟ ଥିଲା I ଏହି ଅନୁଦାନରେ ନା ଅଛି ଶିକ୍ଷକ କର୍ମଚାରୀଙ୍କ ଚାକିରୀ ସର୍ତ୍ତାବଳୀ ନା ଅଛି ଅବସର ପରବର୍ତ୍ତୀ କୌଣସି ସୁବିଧା ସୁଯୋଗ I ତଥାପି ଚାକିରୀ ଜୀବନର ଶେଷ ସମୟରେ ଅନ୍ୟ ଉପାୟ ନ ପାଇ ସରକାରଙ୍କ ଏହିଭଳି ପକ୍ଷପାତି ଯୋଜନା ଏବଂ ସରକାରଙ୍କ ହ୍ଁ ରେ ହ୍ଁ ମାରୁଥିବା କିଛି ନେତାଙ୍କ ନୀରବତାକୁ ସହି ଯାଇଥିଲେ ଶିକ୍ଷକମାନେ I କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ସରକାର 2015 ରେ 399 ଟି ବିଦ୍ୟାଳୟକୁ ଅନୁଦାନ ଦେଇଥିଲେ ମଧ୍ଯ ଆହୁରି 167 ଟି ବିଦ୍ୟାଳୟକୁ ବିଭିନ୍ନ ଆନୁସଙ୍ଗିକ ତଥା ଭିତ୍ତିଭୂମି ଅଭାବର ଆଳ ଦେଖାଇ ଅନୁଦାନ ପାଇବାରୁ ବଞ୍ଚିତ କରିଥିଲେ ଯାହାର ସଂଖ୍ୟା ବର୍ତ୍ତମାନ 177 ରେ ପହଞ୍ଚିଛି I ଫଳରେ ଆଜି ପର୍ଯ୍ୟନ୍ତ ସେହି ବିଦ୍ୟାଳୟର ଛାତ୍ର ଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବା ସହ ଶିକ୍ଷକ କର୍ମଚାରୀ ମାନେ ମଧ୍ୟ ନିଜର ମାନସିକ ଭାରସାମ୍ୟ ହରାଇ ସାରିଲେଣି I ସୂଚନା ଥାଉ କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାଡବନ୍ଧ,କୁମ୍ଭାରୀ,ଡାବିକିଗୋଛା, ମୁଜାଗଡ, ସାତପହଣ୍ଡିଆ,ପଥରା, ଅନ୍ତରିଗାଁ, ବାଲାନ୍ତର,ଆମ୍ବ ପୁଆ,ଏବଂ ବ୍ରହ୍ମପୁରର ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ଦଶଟି ଉଚ୍ଚ ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛି I ସରକାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରୁଛନ୍ତି କିନ୍ତୁ ସେହି ପଞ୍ଚାୟତ ଗୁଡ଼ିକରେ ପୂର୍ବରୁ ଥିବା ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଧ୍ୟାନ ନଦେବା ଫଳରେ ବିଦ୍ୟାଳୟ ଗୁଡ଼ିକ ଅବହେଳିତ ଅବସ୍ଥାରେ ନିଜର ସତ୍ତା ହଜାଇବାକୁ ବସିଲେଣି I ବିଶେଷ କରି ଗ୍ରାମାଞ୍ଚଳର ବହୁ ଆର୍ଥିକ ଅନଗ୍ରସର ଜନ ସାଧାରଣ ନିଜ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ଏହି 177 ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରୁ୍ଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକର ଶୋଚନୀୟ ଅବସ୍ଥା ଯୋଗୁଁ ସେହି ଗ୍ରାମର ଗରୀବ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବାର ଦେଖା ଦେଇଛି I ତେଣୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବୃହତ୍ ସ୍ଵାର୍ଥ ଦୃଷ୍ଟିରୁ ସରକାର ସେହି ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ଅନୁଦାନ ଦେଇ ଭିତ୍ତିଭୂମି ସଜାଡ଼ିବାକୁ କିଛି ସମୟ ସୀମା ଦେବାକୁ ଦାବି ହୋଇଛି I ଯଦି ସରକାର ଆଗାମୀ ବଜେଟ୍ ଅଧିବେଶନ ପୂର୍ବରୁ ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ 177 ବିଦ୍ୟାଳୟରେ ତାଲା ପଡ଼ିବାର ଅଧିକ ସମ୍ଭାବନା ରହିଛି ବୋଲି ବହୁ ବିଦ୍ୟାଳୟର ସଭାପତି ଏବଂ ସମ୍ପାଦକ ମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି I ଏବେ ଦେଖିବାକୁ ବାକି ରହିଲା ନୀରିହ ଛାତ୍ର ଛାତ୍ରୀଙ୍କ ନିଷ୍ପାପ ମୁହଁ ଆଉ ଶିକ୍ଷକ କର୍ମଚାରୀଙ୍କ ଭୋକିଲା ପେଟ ସରକାରଙ୍କ ଉପରେ କେତେ ପ୍ରଭାବ ପକାଇ ପାରୁଛି I