ଗସ୍ତର ପ୍ରଥମ ଦିନରେ ଶନିବାର ଅମିତ ଶାହା ମମତା ବାନାର୍ଜୀ ସରକାରକୁ ଟାର୍ଗେଟ କରିଥିଲେ । ପଶ୍ଚିମବଙ୍ଗର ମେଦିନାପୁରରେ ଏକ ବିଶାଳ ରାଲିକୁ ସମ୍ବୋଧନ କରି ସେ କହିଥିଲେ, ଯେତେବେଳେ ନିର୍ବାଚନ ଆସିବ, ସେତେବେଳକୁ ମମତା ବାନାର୍ଜୀ ପାର୍ଟିରେ ଏକାକୀ ହୋଇସାରିଥିବେ । ଗୃହମନ୍ତ୍ରୀ କହିଥିଲେ ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିକୁ ୨୦୦ରୁ ଅଧିକ ଆସନ ମିଳିବ । ମମତା ବାନାର୍ଜୀଙ୍କ ମା’, ମାଟି ଓ ମନୁଷ୍ୟ ସହିତ କୌଣସି ସଂପର୍କ ନାହିଁ ଏବଂ ପଶ୍ଚିମବଙ୍ଗର ଜନତା ପରିବର୍ତ୍ତନ ଚାହୁଁଛନ୍ତି ।
ସୂଚନାଯୋଗ୍ୟ, ଟିଏମସିର ଜଣେ ପରେ ଜଣେ ନେତା ଇସ୍ତଫା ଦେଉଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଏହି ଗସ୍ତ କରିଥିବାରୁ ରାଜନୀତିର ଘଡ଼ିସନ୍ଧିର ମୂହୁର୍ତ୍ତ ବୋଲି କୁହାଯାଉଛି । ତୃଣମୂଳ କଂଗ୍ରେସର ପ୍ରଭାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ପଦ୍ମ ଧରିଛନ୍ତି । ସିପିଆଇ, ସିପିଏମ ଓ କଂଗ୍ରେସର ୯ ଜଣ ବିଧାୟକ ଓ ଜଣେ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ଶାହା ଗତକାଲି ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ସମୟରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାଶ ବିଜୟବର୍ଗୀୟ ଓ ମୁକୁଲ ରାୟ ମଧ୍ୟ ଉପସ୍ଥିତ ଥିଲେ ।