ଏଥିରେ ଯୋଗଦେଇ ଭୁବନେଶ୍ୱରସ୍ଥିତ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) – ଆଇଏମଏମଟିର ନିର୍ଦ୍ଦେଶକ ସୁଧାସତ୍ୱ ବସୁ ଆତ୍ମନିର୍ଭର ଭାରତ ଗଠନ ପାଇଁ ଖଣିଜ ପଦାର୍ଥ ଉପଯୋଗର ବୈଷୟିକ ଉନ୍ନତି ହେବା ଆବଶ୍ୟକ ବୋଲି କହିଛନ୍ତି । ଖଣିଜ ପଦାର୍ଥରୁ ଉତ୍ପାଦିତ ସାମଗ୍ରୀ ଦେଶର ଭିତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ମାତ୍ର ଏଥିପାଇଁ ଆମଦାନୀ ଉପରେ ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହୋଇ ଧାର୍ଯ୍ୟ ଲକ୍ଷ ପୂରଣ କରିବା ଆବଶ୍ୟକ । ଏହାଛଡା ଖଣିଜ ପଦାର୍ଥରୁ ସଂଗୃହୀତ କଂଚାମାଲ ପର୍ଯ୍ୟାପ୍ତ ଉପଲବ୍ଧ ହେଲେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଅଭିବୃଦ୍ଧି ସହ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ସେ କହିଥିଲେ ।
ଏଥିରେ ଯୋଗଦେଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଧାନ ଓ ଗହମ କ୍ଷେତ୍ରରେ ଆମ ଦେଶ ଆତ୍ମନିର୍ଭରଶୀଳ ହୋଇଥିଲେ ମଧ୍ୟ ଏହାର ଗୁଣାତ୍ମକ ବିକାଶ ହେଲେ ଆମେ ନିଜର ଗୁଜୁରାଣ ମେଂଟାଇବା ସହ ବଳକା ଶସ୍ୟ ବାହାରକୁ ରପ୍ତାନୀ କରିପାରିବା । ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ଉତ୍ପାଦନ ଆମକୁ ବୃଦ୍ଧି କରିବାକୁ ହେବ । ଚାଷୀଙ୍କ ସଚେତନତା ସହ ବୈଜ୍ଞାନିକ ପରାମର୍ଶ ଓ ଉଦ୍ଭାବନ ନୂତନ କୃଷି ଯନ୍ତ୍ରପାତି ଉତ୍ପାଦନ ବୃଦ୍ଧିରେ ବିଶେଷ ସହାୟକ ହେବ । ନିକଟରେ ଘୋଷିତ କେନ୍ଦ୍ର ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ସହ କୃଷି କ୍ଷେତ୍ରକୁ ଆତ୍ମନିର୍ଭର କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ସେ କହିଛନ୍ତି ।
ଏଥିରେ ଅଂଶଗ୍ରହଣ କରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପାଣିପାଗ ବିଜ୍ଞାନର ଅଗ୍ରଗତି ଯୋଗୁଁ ଆଜି ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଅନେକ ସୁଧାର ଆସିଛି ବୋଲି କହିଛନ୍ତି । ସଠିକ ଆକଳନ ଯୋଗୁଁ ବିପର୍ଯ୍ୟୟ କବଳରୁ ଅନେକ ଧନ ଜୀବନ ହାନୀ ରୋକାଯାଇପାରିଛି । ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏହି ୱେବିନାରରେ ଅଧ୍ୟକ୍ଷତା କରିଥିବାବେଳେ ଗଣମାଧ୍ୟମ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ ।