
ଗଞ୍ଜାମ– ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡ଼ିକାଲ କଲେଜ ଡ଼ିନ୍ ଙ୍କ ଜାଲ୍ ଦସ୍ତଖତ କରି ବେକାର ଯୁବକ ଯୁବତୀଙ୍କୁ ଆଟେଣ୍ଡାଂଟ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଗତ ୧୫ ଦିନ ହେଲା ନିଯୁକ୍ତି ପତ୍ର ବଂଟନ କରାଯାଇଥିବା ବେଳେ ଗତକାଲି ଡ଼ିନ୍ ପ୍ରଫେସର ଦିପ୍ତୀମୟୀ ତ୍ରିପାଠୀ ଏ ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ ଏତଲା କରିଛନ୍ତି । ବର୍ତମାନ ଏମକେସିଜି ଆଟେଣ୍ଡାଂଟ ନିଯୁକ୍ତି ନେଇ ବିବାଦ ବଢି ଚାଲିଥିବା ବେଳେ ଦଲାଲ୍ ମାନେ ଟଙ୍କା ଲୁଟିବା ପାଇଁ ଜାଲ୍ ବିଛାଇ ଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ସମସ୍ତ ନିଯୁକ୍ତି ପତ୍ର ପୋଷ୍ଟାଲରେ ଆସିଥିବା ବେଳେ ଯୁବକ ଯୁବତୀ ମାନେ ପ୍ରକାଶ କରିଛନ୍ତି । ତେବେ କେଉଁଠାରୁ ସେହି ନିଯୁକ୍ତି ପତ୍ର ଆସିଲା ତାହାର କୌଣସି ଠିକଣା ଦିଆଯାଇନାହିଁ । ଦଲାଲ୍ ମାନେ ଏଭଳି କରୁଥିବା ଜଣାପଡିବା ପରେ ପୋଲିସ ଦଲାଲ୍ ଙ୍କୁ ଖୋଜୁଛି ।
ଅନ୍ୟପକ୍ଷରେ ଏମକେସିଜିରେ ଆଟେଣ୍ଡାଂଟ ନିଯୁକ୍ତି ପାଇଁ କୌଣସି ଦେୟ ବା ଫି ଦେବାକୁ ପଡେନାହିଁ ବୋଲି ଡ଼ାକ୍ତରଖାନା ଅଧିକ୍ଷକ ପ୍ରଫେସର ଡ଼ାକ୍ତର ସନ୍ତୋଷ କୁମାର ମିଶ୍ର କହିଛନ୍ତି । କୌଣସି ବ୍ୟକ୍ତି ଯଦି କାହାରିକୁ ଚାକିରୀ କରାଇଦେବା ପାଇଁ ଟଙ୍କା ଦିଅନ୍ତି, ତେବେ ଏଥି ପାଇଁ ଏମକେସିଜି କର୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସେ କହିଛନ୍ତି ।