-
ଚାରିହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ଛଅ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
ମହାକାଳପଡ଼ା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳ ରେ ଉପସ୍ଥିତ ରହି ପ୍ରକଳ୍ପ ବିଷୟରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ପାଳ ଶ୍ରୀ ସମର୍ଥ ବରମା ମଧ୍ୟ ଆଲୋଚନା ରେ ଭାଗ ନେଇଥିଲେ ।
ଏହା ସ୍ମରଣୀୟ ଯେ, ପାରାଦୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀ ବନ୍ଦରର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ସହମତି ପ୍ରକାଶ କରିଛି । ଯାହାର ଏମଓୟୁ ସ୍ୱାକ୍ଷର ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଆଖଡାଶାଳି ଗ୍ରାମ ଅଂଚଳରେ ହେବାକୁ ଯାଉଥିବା ଏହି ବନ୍ଦର ସବୁଦିନିଆ ବହୁମୁଖୀ ସେବା ଯୋଗାଇବ । ବାର୍ଷିକ ୫୪ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଏହି ବନ୍ଦର ୪୦୬୨ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଯାଉଛି; ଯାହାର ୨୨ ମେଟ୍ରିକ୍ ଟନ୍ କ୍ଷମତା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଏନେଇ ସହାୟକ ଭିତ୍ତିଭୂମି ଯେପରି ରାସ୍ତାଘାଟ, ରେଳ ଯୋଗାଯୋଗ ଆଦି ବିକାଶ ଦାୟିତ୍ୱ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୩୦୦ ହେକ୍ଟର ଜମି ଚିହ୍ନଟ କରିଛନ୍ତି । ଏଥିସହ ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥଳେ ଅତିରିକ୍ତ ଜମି ଯୋଗାଇ ଦେବେ ବୋଲି ରାଜ୍ୟ ସରକାର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ରାଜ୍ୟ ସରକାର ମହାନଦୀ ବନ୍ଦର ସ୍ଥାପନ ନେଇ ନିଷ୍ପତି ନେବା ସହ ଆରଏଫକ୍ୟୁ ପ୍ରକାଶ କରିଥିଲେ । କିନ୍ତୁ ନିଲାମଧାରୀଙ୍କ ଆଗ୍ରହ ଅଭାବରୁ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନଥିଲା । ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଏହି ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର ପାଇଁ ପ୍ରସ୍ତାବ ଦେଇଥିଲା ।
ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଥମ ପର୍ଯ୍ୟାୟରେ ୪୦୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୭୦୦ନିଯୁକ୍ତି ସୃଷ୍ଟି କରିବ । ଏହି ନଦୀ ବନ୍ଦର ସହ ରାଜ୍ୟ ସରକାରଙ୍କ ସହଯୋଗରେ ନିର୍ମିତ ହରିଦାସପୁର-ପାରାଦୀପ ରେଳ ଲାଇନ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତିରେ ମାଇଲଖୁଂଟ ସାବ୍ୟସ୍ତ ହେବ ।