ବାରିପଦା – ୨୦୦୯ ଅକ୍ଟୋବର ୧୩ । ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମ ଫୁଟବଲ ପଡ଼ିଆରେ ଚାଲିଥିଲା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ । ସନ୍ଧ୍ୟା ନଇଁ ଆସି ଥାଏ । ଖେଳ ଶେଷ ହେବା ପରେ ଆରମ୍ଭ ହୋଇଥିଲା ପୁରସ୍କାର ବିତରଣ ଉତ୍ସବ । ତତ୍କାଳୀନ ଜେଏମଏମର ରାଜ୍ୟ ସଭାପତି ତଥା ବର୍ତମାନର ବିଜଦ ସରକାରରେ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶତାଧିକ ଫୁଟବଲ ପ୍ରେମୀ ଟୁର୍ଣ୍ଣାମେଂଟର ଚମ୍ପିୟାନ ଓ ରନର୍ସ ଅପ୍ ଟିମକୁ ଉତ୍ସାହିତ କରିବା ପାଇଁ ପ୍ରତୀକ୍ଷା କରିଥିଲେ । କେହି କିଛି ବୁଝିବା ପୂର୍ବରୁ ହଠାତ୍ ଫୁଟିଲା ଗୁଳି । ଆରମ୍ଭ ହୋଇଥିଲା ମାଓବାଦୀଙ୍କର ତାଣ୍ଡବଲୀଳା । ଛତ୍ରଭଙ୍ଗ ଦେଇଥିଲେ ଶତାଧିକ ଫୁଟବଲ ପ୍ରେମୀଙ୍କ ସହ ଖେଳାଳୀ । ଏହିଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ମନ୍ତ୍ରୀ ସୁଦାମଙ୍କୁ ସୁରକ୍ଷା ଦେବା ନିମନ୍ତେ ଅଭେଦ୍ୟ କବଚ ଭାବେ ଦଣ୍ଡାୟମାନ ହୋଇ ମାଓବାଦୀଙ୍କ ସହ ମୁକାବିଲା କରିଥିଲେ ଡ଼ିଉଟିରେ ରହିଥିବା ମୟୂରଭଞ୍ଜ ପୁଲିସର କର୍ତବ୍ୟନିଷ୍ଠ ଦାୟିତ୍ୱ ସମ୍ପନ୍ନ କର୍ମଚାରୀ କେତେଜଣ । ଗୁଳି ସାମନାରେ ଛାତି ଦେଖାଇ ସହିଦ ହୋଇଥିଲେ ଚାନ୍ଦୁଆ ଥାନା ଏଏସଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗହ୍ମା ହେମ୍ବ୍ରମ । ୨୦୧୯ ଅକ୍ଟୋବର ୧୩ର ଏହି ଦୁଃଖଦ ଘଟଣାକୁ ଦଶ ବର୍ଷ ପୂରଣ ହେବାକୁ ବସିଛି । ଉକ୍ତ ଦିବସରେ ସହିଦ ପୁଲିସ କର୍ମଚାରୀଙ୍କ ସ୍ମୃତିଚାରଣାର୍ଥେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରିପଦା ରିଜର୍ଭ ପୁଲିସ ପଡିଆ ପରିସରରେ ସହିଦମାନଙ୍କୁ ଭକ୍ତିପୁତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ଏବଂ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆମନ୍ତ୍ରଣ କରାଯାଇଛି । ମନ୍ତ୍ରୀ ସୁଦାମ ହେଡ଼କ୍ୱାଟରରେ ଉପସ୍ଥିତ ରହି ପ୍ରତି ବର୍ଷ ଭଳି ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅତୀତର ସେହି ଭୟାନକ ଲୋମହର୍ଷଣକାରୀ ଘଟଣାବଳୀକୁ ମନେ ପକାଇ ସହିଦ ପୁଲିସ କର୍ମଚାରୀମାନଙ୍କ ବୀରତ୍ୱ ଓ ସାହାସିକତାର ସ୍ମୃତି ଚାରଣ କରିବେ । ସେହିପରି ଉକ୍ତ କାର୍ଯ୍ୟକ୍ରମରେ ସହିଦମାନଙ୍କ ବିଧବା ପତ୍ନୀ ଓ ପରିବାରର ସଦସ୍ୟ, ସଦସ୍ୟାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରତିବର୍ଷ ଏଥିରେ ସହିଦ ପରିବାରକୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଜମି ଯୋଗାଇ ଦେବା ବିଷୟ ଉଠିଥାଏ ଏବଂ ମନ୍ତ୍ରୀ ଶ୍ରୀମାର୍ଣ୍ଡି ତାଙ୍କର ଚିରାଚରିତ ଢ଼ଙ୍ଗରେ ଏ ବିଷୟରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି । ବର୍ଷ ପରେ ବର୍ଷ ଏହି ପରି ଦଶ ବର୍ଷ ଅତୀତ ହେବାକୁ ବସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ସହିଦ ପରିବାରଙ୍କୁ କେବେ ମିଳିବ ସରକାରୀ ଜମି ତାହାକୁ କେବଳ ଅପେକ୍ଷା ।
ବଣ୍ଡାବ ମାଓ ଆକ୍ରମଣରେ ସହିଦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଡେସିମିଲ ଜମି ଯୋଗାଇ ଦିଆ ଯିବାର ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ମିଳିପାରି ନାହିଁ । ଏଥି ନିମନ୍ତେ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ସହିଦ ପରିବାରଙ୍କୁ ଡ଼କାଇ ସେମାନଙ୍କ ଉପସ୍ଥିତିରେ ଜମି ଚିହ୍ନଟ କରାଇଥିଲେ । ଏହା ପରେ ବାରିପଦା ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୨୦୧୫ ଡ଼ିସେମ୍ବର ୨୨ରେ ପତ୍ର ସଂଖ୍ୟା-୩୯୬୧ ଅନୁସାରେ ରାଜ୍ୟ ସରକାରଙ୍କ ନିକଟକୁ ଆପ୍ରୋଭାଲ ନିମନ୍ତେ ଫାଇଲ ପଠାଇ ଥିଲେ ମଧ୍ୟ ତାହା ସରକାରଙ୍କର ନାଲି ଫିତା ତଳେ ଚାପି ହୋଇ ଅଳନ୍ଧୁ ଧରିଯାଇଥିବାରୁ ପୁଣି ଥରେ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୪୨୦/୦୪.୧୦.୨୦୧୯ ଅନୁସାରେ ରିମାଇଣ୍ଡାର ଯାଇଥିବାର ଜଣାପଡ଼ିଛି ।
୨୦୧୪ରେ ସାଧାରଣ ନିର୍ବାଚନ ସମୟରେ ବିଜଦରେ ସାମିଲ ହୋଇ ପ୍ରଥମେ କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ଏବଂ ୨୦୧୯ରେ ରାଜସ୍ୱ, ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ରହିଥିବା ସୁଦାମ ଯେତେବେଳେ ଝାମୁମୋର ରାଜ୍ୟ ସଭାପତି ରହିଥିଲେ ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲାକୁ ଅବହେଳା ପ୍ରଦର୍ଶନ କରୁଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲାରେ ରାଜନୈତିକ ତୁମ୍ବିତୋଫାନ ଛିଡ଼ା କରାଉଥିଲେ । ୨୦୦୯ ଅକ୍ଟୋବର ୧୩ ମାଓବାଦୀ ଆକ୍ରମଣରେ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଜୀବନ ବାଂଇବାକୁ ଯାଇ ଯେଉଁ ପୁଲିସ କର୍ମଚାରୀମାନେ ସହିଦ ହୋଇଥିଲେ ସେମାନଙ୍କ ପରିବାରର ଭଲମନ୍ଦରେ ସାମିଲ ହେବା ନିମନ୍ତେ ମନ୍ତ୍ରୀଙ୍କ ନିକଟରେ ସମୟ ଥିବା ଭଳି ମନେହେଉ ନାହିଁ । ମନ୍ତ୍ରୀଙ୍କ ହୃଦୟରେ ଯଦି ସହିଦ ପରିବାର ପ୍ରତି ଟିକିଏ ଆନ୍ତରିକତା ରହିଥାନ୍ତା ତେବେ ସହିଦ ଚାନ୍ଦୁଆ ଥାନା ଏଏସଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗହ୍ମା ହେମ୍ବ୍ରମଙ୍କ ପରିବାରକୁ ସରକାର ଯେଉଁ ଜମି ଯୋଗାଇ ଦେବାର ଘୋଷଣା କରିଥିଲେ ତାହା କେବେଠାରୁ ସାକାର ହୋଇ ସାରିଥାନ୍ତା । ସେହିପରି ରାଜ୍ୟ ସରକାରଙ୍କ ଘୋଷଣା ପାଣିରେ ଗାର ହେବାକୁ ବସିଛି । ମୁଖ୍ୟମନ୍ତ୍ରୀ ନବୀନ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି ରାଜ୍ୟରେ ନାଗରା ବାଜୁଛି । ପୁଣି ତାଙ୍କର ୫-ଟି ଯୋଜନା ସହ ମୁଖ୍ୟ ଶାସନ ସଚିବଙ୍କ ଫାଇଲ ବୁଲେଟ୍ ବେଗରେ ଗତି କରିବା ଘୋଷଣା ଏବଂ ମୋ ସରକାରରେ କେତେ ଦମ୍ ବା ସତ୍ୟତା ଭରି ରହିଛି ତାହା ଏହି ସହିଦ ପରିବାରକୁ ଜମି ଯୋଗାଇ ଦେବା ଘୋଷଣାରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଛି । ଏ ବିଷୟରେ ପୁଲିସର ହାବିଲଦାର ଓ କନେଷ୍ଟବଳ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସହିଦ ପରିବାରକୁ ଯଥାଶୀଘ୍ର ଜମି ଯୋଗାଇ ଦେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କଲେ ଭଲ ହୁଅନ୍ତା ଏବଂ ଚଳିତ ବର୍ଷ କାର୍ଯ୍ୟକ୍ରମକୁ ମନ୍ତ୍ରୀ ସୁଦାମଙ୍କୁ ଆମନ୍ତ୍ରଣ ପତ୍ର ଦେବା ସମୟରେ ତାଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ ଜଣାଇବୁ ବୋଲି ପ୍ରକାଶ କରିଥିଲେ ।