ପୁରୀ , ଶ୍ରୀକ୍ଷେତ୍ରକୁ ଆଇକନିକ ସିଟି ଯୋଜନାରେ ସ୍ୱଚ୍ଛ ତାରକା ତୀର୍ଥସ୍ଥଳ କରିବା ନିମନ୍ତେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ବାଟବଣା ହୋଇଛି । ସହରକୁ ସ୍ୱଚ୍ଛ ତାରକା ତୀର୍ଥସ୍ଥଳ କରିବାରେ ପ୍ରମୁଖ ଭାଗିଦାର ହେଇଥିବା ନାଲକୋ ମଧ୍ୟ ଦାୟିତ୍ବହୀନତା ପ୍ରକାଶ କରିଚାଲିଛି । ପ୍ରଶାସନ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ କୌଣସି ପ୍ରକାର ମନଧ୍ୟାନ ଦିଆଯାଉ ନ ଥିବାରୁ ଅଧପତରିଆ ପଦକ୍ଷେପ ଶେଷ ନିଶ୍ୱାସ ନେବାକୁ ଯାଉଛି ।ଶ୍ରୀଜଗନ୍ନାଥ ବଲ୍ଲଭରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବରିଷ୍ଠ ଓ ଶିଶୁଯାତ୍ରୀମାନଙ୍କୁ ମାଗଣାରେ ନେବା ଆଣିବା କରିବା ନିମନ୍ତେ ନାଲକୋ ଲୋକାର୍ପିତ କରିବା ୧୦ ଇଲେଟ୍ରିଚାଳିତ ଇକୋ ଫ୍ରେଣ୍ଡଲି ଅଟୋ ଆଉ କାମ କରୁନି । ଷ୍ଟେସନ ପ୍ଲାଟଫର୍ମରେ ଯାତାୟତ ସମସ୍ୟାର ସମ୍ମୁଖୀନ ବରିଷ୍ଠ ନାଗରିକ, ଶିଶୁ, ମହିଳା, ରୋଗୀଙ୍କ ସହାୟତା ଆସିବା ନିମନ୍ତେ ଲୋକାର୍ପିତ ୨ଟି ଇକୋ ଫ୍ରେଣ୍ଡଲି ଅଟୋ ମଧ୍ୟ ଅଚଳ । ଅନଲକ ପ୍ରକ୍ରିୟାରେ ଯାତ୍ରୀଙ୍କ ପୁରୀ ଆଗମନ ସ୍ୱାଭାବିକ ହେଉଥିଲେ ହେଁ ଏହା ଯାତ୍ରୀଙ୍କ କାମରେ ଆସୁନି ।ଏ ପରିସ୍ଥିତିରେ ଏହି ଅଟୋ ଚଳାଇବା ଓ ଜଗିବା ନିମନ୍ତେ ମୁତୟନ ଜଣେ ମାତ୍ର କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ବିରୋଧାଭାସ ଉଠିଛି । ଲାଞ୍ଚ ମାଗି ନ ମିଳିବାରୁ ଗାଡିଗୁଡ଼ିକ ର ପରିଚାଳନା ଦାୟିତ୍ବ ନେଇଥିବା “ଏ ଆୱାନ୍’, ସଂସ୍ଥାର ସୁପରଭାଇଜର କର୍ମଚାରୀ ଛଟେଇ ନିମନ୍ତେ ପଦକ୍ଷେପ ନେଉଥିବା ସିକ୍ୟୁରିଟି ଗାର୍ଡ ଥିବା ଗୋବିନ୍ଦ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ତଥା ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଇଣ୍ଟରିମ ଟ୍ରଷ୍ଟିଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି।ଅଭିଯୋଗ ମୁତାବକ ୨୦୧୮ ମସିହାରୁ ସେ ଏହି କାମ କରି ଆସୁଛନ୍ତି । ମାତ୍ର ୧୨ ହଜାର ଟଙ୍କା ଦରମା ମିଳୁଥିଲେ ହେଁ ତାଙ୍କ ୫ ପ୍ରାଣୀ କୁଟୁମ୍ବ କଷ୍ଟମଷ୍ଟେ ଚଳି ଯାଉଥିଲେ । ହେଲେ ଆଗକୁ ଚାକିରି କରିବାକୁ ହେଲେ ହାତଗୁଞ୍ଜା ମଗାଯାଇଥିଲା ।ଏହା ନ ମିଳିବାରୁ କାମରୁ ତାଙ୍କୁ ସୁପରଭାଇଜର ଛଟେଇ କରିଛନ୍ତି । ରୋଗିଣା ମା’ ଓ ସ୍ତ୍ରୀଙ୍କ ଚିକିତ୍ସା ସହ ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ତାଙ୍କୁ ଚିନ୍ତାରେ ପକାଇଛନ୍ତି । ତେଣୁ ଘଟଣାର ତଦନ୍ତ କରାଯାଇ ତାଙ୍କୁ ଥଇଥାନ କରା ନ ଗଲେ ପୂରା ପରିବାର ସଦସ୍ୟଙ୍କ ଜୀବନ ବିପଦରେ ପଡ଼ିଯିବ ବୋଲି ସେ ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଛନ୍ତି।ଅଭିଯୋଗ ନେଇ ସୁପରଭାଇଜର କହିଛନ୍ତି,ସେ ନିଜେ ଗତମାସରୁ ଚାକିରି ଛାଡି ସାରିଛନ୍ତି।ସମ୍ପୂକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଚାକିରିରୁ ଛଟେଇ ସମ୍ପର୍କରେ ସେ କିଛି କହିପାରିବେ ନାହିଁ । ତେବେ
ଏନେଇ ନାଲକୋ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ଓ ୨୦୧୯ ମସିହାରେ ଦୁଇଥରରେ ନାଲ୍କୋ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆଇକନିକ ସିଟି ଯୋଜନା ଅନ୍ତର୍ଗତ ନିଜର ସହଯୋଗ ଦେଇ ମାତ୍ର ୧୨ଟି ଇକୋ ଫ୍ରେଣ୍ଡଲି ଗାଡ଼ି ଉଦଘାଟନ କରିଥିଲା । ଆଗକୁ ଆହୁରି ଗାଡ଼ି ଲୋକାର୍ପଣ ସହ ଅନ୍ୟ ଦାୟିତ୍ବକୁ ରୂପ ଦିଆଯିବ ବୋଲି କୁହାଯାଇଥିଲା । ତେବେ ଯେତିକି ଗାଡି ଲୋକାର୍ପଣ ହୋଇଛି ତାହାକୁ ଠିକ୍ ଭାବେ ପରିଚାଳନା କରା ନ ଯିବା ନେଇ ଅସନ୍ତୋଷ ଲାଗି ରହିଛି । ପୂର୍ବରୁ ବହୁ ଆଲୋଚନା ପରେ ନାଲକୋ ଦାୟିତ୍ବ ଦେଇ ଗାନ୍ଧିଘାଟ ପାର୍କର ଉନ୍ନତିକରଣ ନିମନ୍ତେ ପଦକ୍ଷେପ ନେଇଥିଲା । ତେଣେ ଏ ପର୍ଯ୍ୟନ୍ତ ସମୁଦ୍ରକୂଳ ଦିଗବାରିଣୀ ପାର୍କିକୁ ମଲ୍ଟିଷ୍ଟୋରୀଡ଼ ପର୍କିଙ୍ଗରେ ପରିଣତ କରିବା, ମାଳତିପାଟପୁର ଠାରେ ୩୦୦ ରୁମ୍ ଥିବା ଅତିଥ ନିବାସ ନିର୍ମାଣ କରିବା,ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମର ଉନ୍ନତିକରଣ କରିବା, ସହରର ଯାତ୍ରୀ ଗହଳି ଜମୁଥିବା ବିଭିନ୍ନ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିବା, ପ୍ରାଚୀନ ମଠ ଓ ମନ୍ଦିର ରହିଥିବା ସ୍ଥାନଗୁଡ଼ିକୁ ଯାତାୟତରେ ସୁବିଧା ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ହେରିଟେଜ କରିଡର ଉନ୍ନତିକରଣ ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଲାନାହିଁ । ଫଳରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଆଇକନିକ ତୀର୍ଥସ୍ଥଳ ପ୍ରକଳ୍ପନିର୍ମାଣ ମୂଲ୍ୟହୀନ ହୋଇଛି ।ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେକେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ୪ ବର୍ଷ ପୂରିବାକୁ ବସିଛି। ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପର୍ଯ୍ୟଟନକାର୍ଯ୍ୟଳୟ, ପୌରସଂସ୍ଥା ସମେତ ନାଲକୋର ଦୟିତ୍ବହୀନ ପଦକ୍ଷେପ ଏହର କାରଣ ହୋଇଛି ।