ଭୁବନେଶ୍ୱର – ପାରିବାରିକ କଳହରୁ ଗତକାଲି କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କର ଏ ଯାଏଁ ପତା ମିଳିନାହିଁ । ଦେବବ୍ରତଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ଦ୍ୱିତୀୟ ଦିନ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ଥିଲେ ହେଁ ତାଙ୍କର ସନ୍ଧାନ ମିଳିପାରି ନାହିଁ ।
ସୂଚନାଯୋଗ୍ୟ ବୁଧବାର ଦିନ ପ୍ରାୟ ଗୋଟାଏରେ ନିଆଳି କରଂଜ ଅଂଚଳର ଦେବବ୍ରତ ମହାପାତ୍ର ପତ୍ନୀ ଓ ପୁଅ ସହ ବାଇକ୍ ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ । ତେବେ ହଠାତ୍ ଦେବବ୍ରତ ନିଜ ବାଇକକୁ କାଠଯୋଡ଼ି ପୋଲ ଉପରେ ଠିଆ କରାଇ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ । ଏହି ଘଟଣା ଦେଖି ହତବାକ୍ ପତ୍ନୀ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ । ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ । ଉଭୟଙ୍କ ମଧ୍ୟରେ ବଚସା କାରଣରୁ ଦେବବ୍ରତ ନଦୀକୁ ଡେଇଁପଡିଥିବା ଅନୁମାନ କରାଯାଉଛି ।
ଅଘଟଣ ପରେ ତୁରନ୍ତ ଦେବବ୍ରତଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ ବାହିନୀର ୩ଟି ପାୱାର ବୋଟ୍ ଓ ଓଡ୍ରାଫ୍ ଟିମର ଗୋଟିଏ ପାୱାର ବୋଟ୍ ସହ ୨ ଜଣ ସ୍କୁବା ଡାଇଭରଙ୍କ ସହାୟତା ନିଆଯାଇଥିଲା । ତେବେ ଗତକାଲି ତାଙ୍କର ପତା ମିଳି ନଥିଲା ।