ଭୁବନେଶ୍ୱର. ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥ ରେଳକୁଞ୍ଜ ଠାରେ ୬୫ତମ ରେଳସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଅଛି I ଏହି ସମାରୋହ ରେ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମସ୍ତ କୃତି କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରିଛନ୍ତି I ଏଥିରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ହରିଦାସପୁର-ପାରାଦୀପ ରେଳ ଲାଇନ କର୍ପୋରେସନ ଲିମିଟେଡ଼ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଶ୍ରୀ ଦେବରାଜ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ I
ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ରେଳବାଇ କର୍ମଚାରୀଙ୍କ ପ୍ରଗତିଶୀଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ପାଦନ କରି ରେଳବାଇ କୁ ମୂଲ୍ୟବାନ ଅବଦାନ ପ୍ରଦାନ ସହ ଉତ୍କର୍ଷତା ଆଣିବାରେ ସହାୟକ ହୋଇଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ଉଦ୍ୟମ ଓ ନିଷ୍ଠା ଜାରିରଖିବାକୁ ଆହ୍ୱାନ ଦେଇଛନ୍ତି ଯାହା ଫଳରେ ଏହି ରେଳପଥ ଏକ ଶ୍ରେଷ୍ଠ ରେଳ ଜୋନ ଭାବେ ନିଜକୁ ବଜାୟ ରଖିବ I ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ କହିଛନ୍ତି ଯେ କର୍ମଚାରୀଙ୍କ କ୍ରମାଗତ ଉଦ୍ୟମ ହେତୁ, ପୂର୍ବତଟ ରେଳପଥ 2019-20 ବର୍ଷ ପାଇଁ ଆକାଉଣ୍ଟସ୍ ଆଣ୍ଡ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଲ୍ଡ,, ଟ୍ରାଫିକ୍ ଟ୍ରାନ୍ସପୋର୍ଟ ସିଲ୍ଡ ଏବଂ ସେଲ୍ସ ମ୍ୟାନେଜମେଣ୍ଟ ସିଲ୍ଡ ସହିତ ସାମଗ୍ରିକ ଦକ୍ଷତା ପାଇଁ ବହୁ ସମ୍ମାନଜନକ ଗୋବିନ୍ଦ ବଲ୍ଲଭ ପନ୍ତ ଜାତୀୟ ରେଳ ପୁରସ୍କାର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛି |
ଏହି ଅବସରରେ ସବୁ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ଼, ବିଶାଖାପାଟଣା ରେଳ ଷ୍ଟେସନ୍କୁ ଉତ୍ତମ ବୃହତ ପରିଚ୍ଛନ୍ନ ଷ୍ଟେସନ ଓ କେନ୍ଦୁଝରଗଡ଼ ରେଳଷ୍ଟେସନ୍କୁ ଉତ୍ତମ ଛୋଟ ପରିଚ୍ଛନ୍ନ ଷ୍ଟେସନ ସିଲଡ଼ ପ୍ରଦାନ କରାଯାଇ ଅଛି I ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ହେମନ୍ତ କୁମାର ଦତ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ରେଳସପ୍ତାହ ଉପରେ ଆଲୋକପାତ କରିଥିବାବେଳେ ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I