ଏବେ ଏକ ନୁଆ ବିବାଦ ମୁଣ୍ଡ ଟେକିଛି । ସାରା ଦେଶରେ ଯେଉଁ ରାଜ୍ୟମାନଙ୍କରେ ଆଦିବାସୀ ବର୍ଗର ଭାଇ ଭଉଣୀମାନଙ୍କର ସଂଖ୍ୟା ଅଧୀକ ଅଛି ଯେମିତିକି ଝାରଖଣ୍ଡ, ଛତିଶଗଡ, ଓଡିଶା, ମଧ୍ୟପ୍ରଦଶ, ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ବିତର୍କ ଆରମ୍ଭ ହୋଇଛି ଆଦିବାସୀମାନଙ୍କର ଧର୍ମକୁ ନେଇ । ଆସୁଥିବା ୨୦୨୧ ଜନଗଣନାର ଠିକ ପୂର୍ବରୁ ବିବାଦଟି ଠିଆ କରାଯାଉଛି ଯେ ଆଦିବାସୀମାନଙ୍କର ଧର୍ମ ହିନ୍ଦୁ ନୁହେଁ, ସେଥିପାଇଁ ସେମାନଙ୍କୁ ଅଲଗା ଧର୍ମର ମାନ୍ୟତା ମିଳୁ । ଝାରଖଣ୍ଡ ବିଧାନସଭାରେ ଏକ ସଙ୍କଳ୍ପ ଶାସକଦଳ ଦ୍ୱାରା ପାରିତ ହୋଇଛି କି ଆଦିବାସୀମାନଙ୍କର ଧର୍ମକୁ ସରନା ଧର୍ମ ବୋଲି କୁହାଯାଉ । ବିଭିନ୍ନ ବଡ ଖବର କାଗଜରେ ସମ୍ପାଦକୀୟ ଲେଖାଯାଉଛି ଯାହାର ସାରମର୍ମ ହେଉଛି ଯେ ଆଦିବାସୀ ମାନେ ହିନ୍ଦୁ ନୁହନ୍ତି । ସେମାନେ ଅଲଗା ଧର୍ମର ବୋଲି । ସେମାନଙ୍କୁ ହିନ୍ଦୁ ବିରୋଧୀ ପ୍ରମାଣିତ କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ବିଚାରର ବୁଦ୍ଧିଜିବିମାନେ ଲଗାତାର ପ୍ରୟାସ ଅନେକ ଦିନ ଧରି କରିଆସୁଥିଲେ ଯାହାର ପ୍ରତିଫଳନ ଆସନ୍ତା ଜନଗଣନାର ଠିକ ପୂର୍ବରୁ ଦେଖାଯାଉଛି । ସେମାନଙ୍କର ଦାବି ହେଲା ଆଦିବାସୀମାନଙ୍କୁ ଜନଗଣନାରେ ବାଧ୍ୟତା ମୁଳକ ଭାବରେ ହିନ୍ଦୁରେ ଗଣାଯାଉଛି । ଜନଗଣନା ବେଳେ ବ୍ୟକ୍ତିର ଧର୍ମ ବା ରିଲିଜିଅନର ତଥ୍ୟ ଦେବାର ଯେଉଁ ବ୍ୟବସ୍ଥା ଅଛି ସେଠାରେ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲିମ, ବୌଦ୍ଧ, ଶିଖ ଆଦି ଧର୍ମ ସହିତ ଆଉ ଗୋଟିଏ ବିକଳ୍ପ ଅଛି ତାହା ହେଉଛି ଅନ୍ୟାନ୍ୟ । ସେଠାରେ ଆଦିବାସୀମାନଙ୍କ ପାଇଁ କୌଣସି ବିକଳ୍ପ ନାହିଁ । ଏବେ ସେହି ତାଲିକାରେ “ସରନା ଧର୍ମ”କୁ ଯୋଡାଯାଉ ବୋଲି ଦାବି ହେଉଛି । ଯେଉଁମାନେ ଏହି ଅଭିଯାନର ମଙ୍ଗ ଧରିଛନ୍ତି ସେମାନେ ଯଦି ସେହି ଦାବିରେ ବିଫଳ ହୁଅନ୍ତି ତାହେଲେ ସମସ୍ତ ଆଦିବାସୀମାନେ କିପରି ଯେଉଁ “ଅନ୍ୟାନ୍ୟ” ବିକଳ୍ପଟି ଅଛି ସେଥିରେ ସେମାନେ ପଂଜିକୃତ ହେବେ ସେଥିପାଇଁ ଅଭିଯାନ ଚଲାଇଛନ୍ତି । ଧରନ୍ତୁ ଦେଶର ୧୦ କୋଟି ଆଦିବାସୀଙ୍କ ଭିତରୁ ଯଦି ୮ କୋଟି ଲୋକ “ଅନ୍ୟାନ୍ୟ” ଧର୍ମରେ ଠିକ ଚିହ୍ନ ମାରିଲେ ତାହେଲେ ଏହା ଏକ ବିତର୍କ ସୃଷ୍ଟି କରିବ ଯାହା ପରବର୍ତୀ ଜନଗଣନା ୨୦୩୧ରେ ସରକାରଙ୍କୁ ବାଧ୍ୟ କରିବା ଏକ ନୁଆ ଧର୍ମର ମାନ୍ୟତା ଦେବା ପାଇଁ । ହେଲେ କଣ ଏହା ପଛରେ ଉଦ୍ଦେଶ୍ୟ ରହିଛି ?
ଏସବୁ କାହିଁକି କରାଯାଉଛି ଓ କିଏ ଏହା ପଛରେ ଅଛି? ଏପରି ହେବା ଫଳରେ ସମଗ୍ର ଦେଶ ଓ ଆଦିବାସୀବର୍ଗର ସମୁଦାୟ ଉପରେ କଣ ପ୍ରଭାବ ପଡିବ ତାହା ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି । ବାସ୍ତବରେ ଏହି ଅଭିଯାନର ଉଦ୍ଦେଶ୍ୟ କିଛି ଭିନ୍ନ ଅଛି । ପ୍ରଥମତଃ ଆଦିବାସୀମାନଙ୍କୁ ହିନ୍ଦୁ ମାନଙ୍କଠାରୁ ଅଲଗା କରିବା ବା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ବାହାନାରେ ବିଭେଦର ପାଚେରି ତିଆରି କରିବା ଓ ଏକ ଭୟଙ୍କର ବର୍ଗ ସଂଘର୍ଷ ସୃଷ୍ଟି କରିବା ପାଇଁ ରାସ୍ତା ପ୍ରଶସ୍ତ କରିବା । ଥରେ ସେମାନେ ହଜାର ହଜାର ବର୍ଷର ସର୍ମ୍ପକରୁ କଟିଗଲେ ପରବର୍ତୀ ପରିସ୍ଥିତିରେ ଅନ୍ୟ ବିଦେଶୀ ଧର୍ମରେ ପରିବର୍ତିନ କରିବା ପାଇଁ ସୁଯୋଗ ତିଆରି ହେବ ଯାହା ସେମାନଙ୍କର ସବୁଠାରୁ ବଡ ଉଦ୍ଦେଶ୍ୟ । ଯେଉଁମାନେ ଆମ ଦେଶରେ ବର୍ତମାନ ଏହି ଅଭିଯାନର ମଙ୍ଗ ଧରିଛନ୍ତି ସେମାନେ କେଉଁଠି ନା କେଉଁଠି ବିଦେଶୀ ଷଡଯନ୍ତ୍ରକାରୀଙ୍କ ମାୟାଜାଲରେ ଫସିଛନ୍ତି ଭଳି ଅନୁଭବ ହୁଏ । କାରଣ ଏହି ରଣନୀତି ଆଗରୁ ଅନେକ ଆଫ୍ରିକିୟ ଦେଶରେ କରାଯାଇଛି ଏହାର ଲାଭ ଧର୍ମାନ୍ତିକରଣ କରୁଥିବା ଅନୁଷ୍ଠାନମାନଙ୍କ ପାଖକୁ ଯାଇଛି । ଏହା ଏକ ଲମ୍ବା ସୁପରିକଳ୍ପିତ ଷଡଯନ୍ତ୍ରର ଅଂଶ ବିଶେଷ । ଏହି ଷଡଯନ୍ତ୍ରରେ ବିଦେଶୀ ଷଡଯନ୍ତ୍ରକାରୀମାନଙ୍କ ସହିତ ଆମ ଦେଶର ଏକ ନିର୍ଦ୍ଧିଷ୍ଟ ବିଚାରଧାରାରେ ବିଶ୍ୱାସ କରୁଥିବା କିଛି ତଥାକଥିତ ବୁଦ୍ଧିଜିବିମାନେ ସାମିଲ ଅଛନ୍ତି ।