ପୁରୀ ,ମାର୍ଗଶିର ଗୁରୁବାର ଶୁକ୍ଳ ତୃତୀୟା ତିଥିରେ ଆଜି ଶ୍ରୀମନ୍ଦିରରେ ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ପାଳିତ ହୋଇଅଛି । ଶ୍ରୀଜୀଉମାନଙ୍କ ଦୈନଦିନ ନୀତି ବ୍ୟତୀତ ପାଳିତ ହେଉଥିବା ଅନେକ ନୈମିତିକ ନୀତି ମଧ୍ୟରୁ “ଗୁରୁବାର ନୀତି” ଅନ୍ୟତମ | ଏହି ନୀତି ଦୁଇଟି ପର୍ଯ୍ୟାୟରେ ପାଳିତ ହୁଏ |ମହାପ୍ରଭୁଙ୍କ ସକାଳଧୂପ ପରେ “ମାଜଣା” ଏବଂ ସନ୍ଧ୍ୟା ଧୂପପରେ “ଏକାନ୍ତ” ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ପୂର୍ବ ରାତ୍ର ପହୁଡ଼ ଘ.୧୦.୧୦ ମି. ରେ ସମ୍ପର୍ଣ୍ଣ ହୋଇ ଆଜି ପ୍ରାତଃ ଘ.୪.୦୫ମି. ରେ ଦ୍ୱାର ଫିଟାଯାଇ , ଭିତର ଶୋଧ, ମଙ୍ଗଳ ଆଳତି ଏହି ଦୈନଦିନ ନୀତି ପରେ ମହାପ୍ରଭୁଙ୍କ ପହିଲି ଭୋଗ ଶେଷ ସକାଳ ଘ.୭.୫୦ ମି ଶେଷ ହୋଇ, ସକାଳଧୂପ ଘ.୯.୨୫ ରେ ଶେଷ ପରେ ସକାଳଧୂପ ପ୍ରସାଦ ବାହାରି ଘ.୯.୪୦ ରେ ପାଣିପଡ଼ିଲାପରେ,ପାଳିଆ ମହାଜନ ସେବକମାନେ ଗୁରୁବାର ମାଜଣା ପାଇଁ ଶ୍ରୀଦେବୀ ଓ ଭୂଦେବୀ ଙ୍କୁ ରତ୍ନସିଂହାସନରୁ ଏବଂ ଶ୍ରୀମଦନମୋହଙ୍କୁ ଦଖିଣି ଘରୁ ଆଣି ମାଜଣା ମଣ୍ଡପଠାରେ ବିଜେ କରାଇଥିଲେ | ଏହାପୂର୍ବରୁ ମାଜଣା ମଣ୍ଡପ ଧୁଆଯାଇ ପରିସ୍କାର କରାଯାଇଥିଲା ପୂର୍ବରୁ ସେଠାରେ ଚାନ୍ଦୁଆ ବନ୍ଧାଯାଇଥିଲା, ସୁଦୁସୁଆର ପୂଜାଠା କଲାପରେ,ପାଳିଆ ମହାଜନେ ଠାକୁର ଠାକୁରାଣୀଙ୍କୁ ମାଜଣା କରି ଖଟ ଉପରେ ବସାଇଥିଲେ | ପାଳିଆ ପୂଜାପଣ୍ଡା ସାମନ୍ତେ ପୂଜାରେ ବସିଥିଲେ, ପୂଜା ବଢ଼ିଲାପରେ ଆଳତି ସହ ଅରୁଆ ଚାଉଳ ଓ ଅକ୍ଷତ ଦ୍ୱାରା ବନ୍ଦାପନା କରିଥିଲେ | ଭିତରକୁ ଦୁଇପ୍ରହର ଧୂପ (ମଧ୍ୟାନ ଧୂପ)ଛେକ ଅପରାହ୍ନ ଘ.୨.୧୦ ରେ ଆସିବାରେ ମହାଜନମାନେ(ମାଜଣା- ଦିଅଁ ଙ୍କୁ) ଶ୍ରୀଦେବୀ ଓ ଭୂଦେବୀ ଙ୍କୁ ଘ.୨.୧୫ ମି. ରେ ରତ୍ନସିଂହାସନ କୁ ଏବଂ ଶ୍ରୀମଦନମୋହଙ୍କୁ ଦଖିଣି ଘରକୁ ବିଜେ କରାଇଥିଲେ |ଏହାପରେ ପାଳିଆ ପୁଷ୍ପାଳକ ଠାକୁରାଣୀ ମାନଙ୍କୁ ଶ୍ରୀଅଙ୍ଗ ଲାଗି କରାଇଥିଲେ । ଏହାପରେ ମଧ୍ୟାନ ଧୂପ ଶେଷ ହୋଇ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ପରେ ଗୁରୁବାର ଏକାନ୍ତ ପାଇଁ ସନ୍ଧ୍ୟା ଆଳତି ବଢି ସନ୍ଧ୍ୟା ଧୂପ ବେଶ ସମୟରେ ଦୁଇଖଣ୍ଡ ଆଜ୍ଞାମାଳ ଶ୍ରୀଜଗନ୍ନାଥ ଶ୍ରୀଅଙ୍ଗ ରେ ଲାଗି ହୋଇଥିଲା ସନ୍ଧ୍ୟା ଧୂପ ଶେଷ ହୋଇ, ପ୍ରସାଦ ବାହାରି ପାଣି ପଡ଼ିଲାପରେ ଗୁରୁବାର ଏକାନ୍ତ ନୀତି ପାଇଁ ମହାଜନେ ଶ୍ରୀମଦନମୋହନଙ୍କୁ ଦଖିଣି ଘରୁ ନେଇ ରତ୍ନସିଂହାସନ ରେ ବିଜେ କରାଇଲାପରେ ପୂଜାପଣ୍ଡା ସାମନ୍ତେ ଶ୍ରୀଜୀଉଙ୍କ ଠାରୁ ଲାଗି ହୋଇଥିବା ଦୁଇଟି ଆଜ୍ଞାମାଳ ଆଣି ତୁଳସୀ ମିସା ଆଜ୍ଞାମାଳ ଟିକୁ ଶ୍ରୀମଦନମୋହନଙ୍କୁ ଏବଂ ସାଦା ମାଳ ଖଣ୍ଡଟି ମା’ଲଷ୍ମୀ ଙ୍କୁ ଲାଗି କରାଇଥିଲେ |ବିମାନବଡୁମାନେ ଝୁଲଣ ମଣ୍ଡପଠାରେ ରଖିଥିବା ପାଲିଙ୍କିରେ, ମହାଜନ ମାନେ ମା’ଲଷ୍ମୀ ଓ ଶ୍ରୀମଦନ- ମୋହନଙ୍କୁ ରତ୍ନସିଂହାସନ ରୁ ଆଣି ବିଜେ ଠାକୁର ଠାକୁରାଣୀଙ୍କ ସହ ପଟୁଆରରେ ବିଡୁଆ, ଛାମୁଦୁହୁଡ଼ି ଧରି ଘଣ୍ଟୁଆ,ଛତାର ଆସି ପାଲିଙ୍କିରେ ବିଜେ କରାଇଲାପରେ ବିମାନବଡୁମାନେ ପାଲିଙ୍କି ବୋହି ନେଇ ସରସ୍ୱତୀ, ଭୁବନେଶ୍ଵରୀ ମନ୍ଦିର ସାମନା ନିଶା ନୃସିଂହଙ୍କ ନିକଟରେ ଓଲ୍ଲାନ୍ତି, ମହାଜନମାନେ ହାତରେ ବିଜେ କରାଇ ନେଇ ସରସ୍ୱତୀଙ୍କ ମନ୍ଦିର ଭିତରେ ପଶି ମା’ଲଷ୍ମୀ ଙ୍କ ଦେଉଳ ଜଗମୋହନକୁ ଯାଇ ସେଠାରେ ଆଗରୁ ପଡିଥବା ପଲଙ୍କରେ ଠାକୁର,ଠାକୁରାଣୀଙ୍କୁ ବିଜେ କରାଇଲା ପରେ,ଭିତରଛୁ ପ୍ରସାଦଲାଗି କରିଥିଲେ |ପୂଜାପଣ୍ଡା ସାମନ୍ତେ ପୂଜାରେ ବସି,ପୂଜା ଶେଷରେ ଭୋଗ ପରେ କର୍ପୁର ଓ ବଳିତା ଆଳତି ହୋଇ ଅକ୍ଷତ ବନ୍ଦାପନା ପରେ ଠାକୁର ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗାରଦ ଘର ପାର୍ଶ୍ୱ ସାତ ପାହାଚ ବାଟେ ଗରୁଡ଼ ସାମନା ଜଗମୋହନରେ ଓଲାହି , ମା’ଲଷ୍ମୀ, ସିଂହାସନକୁ ବିଜେ ହୋଇ ଶ୍ରୀମଦନମୋହନ ଦଖିଣି ଘରକୁ ବାହୁଡା ବିଜେ ହୋଇଥିଲେ |ଏହାପରେ ମହାପ୍ରଭୁଙ୍କ ମଇଲମ, ଚନ୍ଦନ ଲାଗି,ବଡ଼ସିଂହାର ବେଶ,ବଡ଼ସିଂହାର ଭୋଗ ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହେବ ।
Related Stories
November 24, 2024
November 24, 2024