ଭୁବନେଶ୍ୱର – ରାଜ୍ୟ ସରକାର ପୁଣି ଥରେ ଜଣେ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେ ହେଲେ ଓଏଫଏସ୍ ଅଧିକାରୀ ତଥା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୬ ମସିହାରେ ସେ ଆଠଗଡ଼ ଡିଏଫ୍ଓ ଥିଲେ । ସେତେବେଳେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇ ପ୍ରାୟ ସାଢେ ୫ କୋଟିରୁ ଅଧିକ ମୂଲ୍ୟର ସମ୍ପତି ଜବତ କରାଯାଇଥିଲା ।
ଭିଜିଲାନ୍ସ ଚଢାଉ ବେଳେ ସୁଧାଂଶୁଙ୍କ ଘରୁ ୧ କୋଟି ୧ ଲକ୍ଷ ୭୦ ହଜାର ୯୫୦ ନଗଦ ଟଙ୍କା ମିଳିଥିଲା । ଓଡିଶାରେ ପୂର୍ବରୁ ଏତେ ପରିମାଣର ଟଙ୍କା କୌଣସି ସରକାରୀ ଅଧିକାରୀଙ୍କ ଘରୁ ଜବତ ହୋଇ ନଥିଲା । ଏହା ବ୍ୟତୀତ ସୁଧାଂଶୁ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଥିବା ଘର ଓ ଜାଗାର ମୂଲ୍ୟ ଥିଲା ୧ କୋଟି ୬ ଲକ୍ଷ ୬୮ ହଜାର ୯୮୦ ଟଙ୍କା । କେବଳ ସେତିକି ନୁହେଁ ସେୟାର ଓ ବିଭିନ୍ନ ବ୍ୟାଙ୍କରେ ଜମା କରିଥିବା ୩.୪୬ କୋଟି ଟଙ୍କା , ୬ ଲକ୍ଷ ୮୦ ହଜାର ୨୮୬ ଟଙ୍କାର ସୁନା ଓ ରୁପା ଗହଣା, ଦୁଇ ଚକିଆ ଓ ଚାରି ଚକିଆ ଗାଡି ମଧ୍ୟ ଜବତ ହୋଇଥିଲା । ସର୍ବମୋଟ ସୁଧାଂଶୁଙ୍କର ୫ କୋଟି ୬୮ ଲକ୍ଷ ୯୨ ହଜାର ୭୫୧ ଟଙ୍କାର ସମ୍ପତି ଜବତ କରିଥିବା ଭିଜିଲାନ୍ସ । ବନ ବିଭାଗର ଏହି ଦୁର୍ନୀତିଖୋର୍ ଅଫିସରଙ୍କୁ ଗିରଫ ପରେ ୨୫ ଫେବୃଆରୀ ୨୦୧୬ରେ ·କିରିରୁ ନିଲମ୍ବିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ କିଛିଦିନ ତଳେ ରାଜ୍ୟ ସରକାର ନିଜର ୪ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା, ଉପ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ, ଖଡ଼ିଆଳ ଡିଭିଜନରେ କାର୍ଯ୍ୟରତ ଉପ ବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଓ ନିଲମ୍ବିତ ସହାୟକ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।