ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ବିଜ୍ଞପ୍ତି ଅନୁସାରେ ୧୯୭୧ ଡିସେମ୍ବରରେ ସଂଘଟିତ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା । ଡିସେମ୍ବର ୧୬ରୁ ଦେଶ ୫୦ ବର୍ଷର ଭାରତ-ପାକିସ୍ତାନ ଯୁଦ୍ଧର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି । ଏହି ଅବସରରେ ଅନେକ ଗୁଡ଼ିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ଜାତୀୟ ଯୁଦ୍ଧ ସ୍ମାରକ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ସୁରକ୍ଷା ବାହିନୀର ମୁଖ୍ୟ ଏବଂ ତିନି ସେବାର ମୁଖ୍ୟ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି ଅବସରରେ ମୋଦୀ ଦୀପ ପ୍ରଜ୍ୱଳନ କରିବେ ।
ସୂଚନାଯୋଗ୍ୟ ଭାରତ ନିଜର ସହିଦ ଯବାନଙ୍କୁ ମନେ ରଖିବା ଅବସରରେ ଏହି ଦିବସକୁ ସ୍ୱର୍ଣ୍ଣିମ ବିଜୟ ଦିବସ ଭାବେ ପାଳନ କରିଆସୁଛି । ୧୯୭୧ରେ ହୋଇଥିବା ଏହି ଯୁଦ୍ଧରେ ପାକିସ୍ତାନ ପରାଜିତ ହୋଇଥିଲା । ଯୁଦ୍ଧ ପରେ ତତ୍କାଳୀନ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅମୀର ଅବଦୁଲା ଖାନ ନିଆଜି ଏବଂ ତାଙ୍କର ୯୩ ହଜାର ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।