ଚାଷୀ ଆନ୍ଦୋଳନକୁ ଆମ ଆଦମୀ ପାର୍ଟି ସମର୍ଥନ ଜଣାଇଛି । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଉପବାସ ରହିବାକୁ ରବିବାର ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ, ଚାଷୀମାନଙ୍କର ଏହି ଦାବି ଲାଗି ଉପବାସ ରଖିବେ । ଏହା ପରେ ଆପ ସରକାରରେ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦଳର ସମସ୍ତ ପଦାଧିକାରୀ, ବିଧାୟକ ଓ ପାର୍ଷଦ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଆଇଟିଓସ୍ଥିତ ପାର୍ଟି କାର୍ଯ୍ୟଳୟରେ ସାମୂହିକ ଭାବେ ଉପବାସ କରିବେ । ଆପ ଦଳ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ସଂପୂର୍ଣ୍ଣ ଭାବେ ଚାଷୀଙ୍କ ସହିତ ଛିଡା ହୋଇଛି ବୋଲି ସେ କହିଛନ୍ତି ।
ସିଙ୍ଘୁ ସୀମାରେ ଚାଷୀମାନେ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ କିଛି ନଖାଇ ଆନ୍ଦୋଳନକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଚାଷୀମାନଙ୍କର ଏଭଳି ଆନ୍ଦୋଳନକୁ ଦୃଷ୍ଟିରେ ରଖି ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ଭାବରେ ପୋଲିସ ମୁତୟନ କରାଯାଇଛି ।
ଗତକାଲି ୧୨ ଦିନର ଆନ୍ଦୋଳନ ପରେ ଥିଲା ଦିଲ୍ଲୀ-ନୋଏଡା ସୀମାକୁ ଖୋଲି ଦିଆଯାଇଥିଲା । ଧାରଣାରତ ଚାଷୀମାନେ ଶନିବାରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ତାଙ୍କର ନିବାସରେ ଭେଟିଥିଲେ । ଏହା ପରେ ସହମତି ହେବା ଯୋଗୁଁ ଚାଷୀମାନେ ସୀମାରେ ଧାରଣା ଶେଷ କରିଦେଇଛନ୍ତି ଏବଂ ଲୋକଙ୍କର ଯାତାୟତ ପାଇଁ ରାସ୍ତା ଅବରୋଧ ହଟାଇ ଦେଇଥିଲେ ।