
ଗଞ୍ଜାମ- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ ମାମଲାରେ ତିନି ମାସ ପୂର୍ବେ ଜେଲ୍ ଯାଇଥିବା ପ୍ରଦୀପ ସିଂହଙ୍କ ପାଇଁ ପୁଣି ଏକ ସମସ୍ୟା । ତାଙ୍କ ମା ସୀତାଦେବୀ (୬୫) ତିନି ଦିନ ତଳେ ପ୍ରାଣ ହରାଇଥିବା ବେଳେ ମୁଖାଗ୍ନି କିଏ ଦେବ ସେନେଇ ଚିନ୍ତାରେ ପଡିଛନ୍ତି ପରିବାର ଲୋକେ । ପ୍ରଦୀପ କେବେ ଜେଲ୍ ରୁ ବାହାରିବେ ଓ ମାଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ ତାକୁ ଚିନ୍ତାରେ ଅଛନ୍ତି ପରିବାର ଲୋକେ । ସୀତାଦେବୀଙ୍କ ମୃତଦେହ ତାଙ୍କ ଅଯୋଧ୍ୟାନଗର ସ୍ଥିତ ବାସଭବନରେ ଆଇସି ଚ୍ୟାମ୍ବରରେ ରଖାଯାଇଛି । ମାଙ୍କ ମୁଖାଗ୍ନି ଦେବା ପାଇଁ ବ୍ରହ୍ମପୁର ଚିଟଫଣ୍ଡ କୋର୍ଟରେ ପ୍ରଦୀପଙ୍କ ଓକିଲ୍ ଜାମିନ୍ ଆବେଦନ କରିଥିଲେ । ଏଠାରୁ ମାମଲା ହାଇକୋର୍ଟ ସ୍ଥାନାନ୍ତର ହୋଇଥିବାରୁ ତଳକୋର୍ଟ ଜାମିନ୍ ଆବେଦନକୁ ବୁଧବାର ଖାରଜ କରିଛନ୍ତି । ପ୍ରଦୀପଙ୍କ ପକ୍ଷରୁ ପୁଣି ହାଇକୋର୍ଟରେ ଜାମିନ୍ ଆବେଦନ ହୋଇଥିଲା । ଗତକାଲି ହାଇକୋର୍ଟ ତାଙ୍କୁ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଅନ୍ତରିଣ ଜାମିନ୍ ମଞ୍ଜୁର କରିଛନ୍ତି । ଏହି ଜାମିନ୍ ବଳରେ ସେ ମାଙ୍କ ଦଶାହ କାର୍ଯ୍ୟ ପର୍ଯ୍ୟନ୍ତ ସାମିଲ୍ ହୋଇପାରିବେ । ତେବେ ପ୍ରଦୀପ କେବେ ଜେଲ୍ ରୁ ମୁକୁଳିବେ ସେନେଇ କୌଣସି ସୂଚନା ମିଳିନାହିଁ । ହାଇକୋର୍ଟରୁ ଜାମିନ୍ ଆଦେଶ ମିଳିବା ପରେ ପ୍ରଦୀପଙ୍କ ପକ୍ଷରୁ ତଳ କୋର୍ଟରେ ଦାଖଲ କରି ପୁଣି ଥରେ ଆବେଦନ କରାଯିବ । ତେବେ ପ୍ରଦୀପ ଜେଲ୍ ରୁ ବାହାରିବାକୁ ଆଉ କେତେ ସମୟ ଲାଗିବ ସେନେଇ ଅନିଶ୍ଚିତତା ଲାଗି ରହିଛି । ଇତିମଧ୍ୟରେ ତାଙ୍କ ମାଙ୍କ ମୃତ୍ୟୁ ଘଟିବାର ତିନି ଦିନ ବିତିଲାଣି । ପ୍ରଦୀପ ଜେଲ୍ ରୁ ବାହାରିବା ପରେ ହିଁ ମାଙ୍କ ଶବ ସତ୍କାର କରାଯିବ ।
ପ୍ରକାଶ ଥାଉ କି, ସେପ୍ଟେମ୍ବର ମାସରେ ପ୍ରଦୀପଙ୍କୁ ଟାଉନ୍ ଥାନା ପୋଲିସ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା ।