
ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କୋଭିଡ଼୍ ପଜିଟିଭ୍ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନ ପ୍ରଦତ ତଥ୍ୟରେ ପୁଣି ତୃଟି ପରିଲକ୍ଷିତ ହୋଇଛି । ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରୀ ରିପୋର୍ଟ ମୁତାବକ ଗଞ୍ଜାମ ଜିଲ୍ଲାରେ ୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତିି । ତେବେ ଜିଲ୍ଲା ପ୍ରଶାସନ ଦେଇଥିବା ସୂଚନା ମୁତାବକ, ଜଗନ୍ନାଥ ପ୍ରସାଦ ବ୍ଲକରୁ ୪ ଜଣ, ବ୍ରହ୍ମପୁରରୁ ୨ ଜଣ, ଚିକିଟି, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡାରୁ ଜଣେ ଲେଖାଏଁ ସଂକ୍ରମିତ ଠାବ ହୋଇଛନ୍ତି । ଅର୍ଥାତ୍ ମୋଟ୍ ନୂଆ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଯାହାକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମୁତାବକ, ଜିଲ୍ଲାରେ ୮ ନୂଆ ସଂକ୍ରମିତ ଠାବ ହେବା ପରେ ଗତକାଲି ସୁଦ୍ଧା ମୋଟ୍ ପଜିଟିଭ୍ ସଂଖ୍ୟା ୨୧ ହଜାର ୭୦୨ ହୋଇଛି । ଏପଟେ ଗତକାଲି ୬ ଜଣ ସୁସ୍ଥ ହେବା ପରେ ଅଦ୍ୟାବଧି ଆରୋଗ୍ୟ ଲାଭ କରିଥିବା ମୋଟ୍ ସୁସ୍ଥ ସଂଖ୍ୟା ୨୧ ହଜାର ୪୨୯ ରେ ପହଂଚିଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୫୩ ରହିଥିବା ବେଳେ ୨୦ ଜଣ ରୋଗୀ ଚିକିତ୍ସାଧିନ ରହିଛନ୍ତି ।
ସେହିପରି ବ୍ରହ୍ମପୁର ମହାନଗର (ବିଏମସି)ର ବଡ଼ ବଜାର ପ୍ରେମ୍ ନଗରରୁ ୪୧ ବର୍ଷିୟ ମହିଳା ଓ ୫୦ ବର୍ଷିୟ ପୁରୁଷ ନୂଆକରି ସଂକ୍ରମିତ ହୋଇଛନ୍ତି । ଏଥିସହ ବିଏମସିରେ ମୋଟ୍ ପଜିଟିଭ୍ ସଂଖ୍ୟା ୪୧୩୧ କୁ ବୃଦ୍ଧି ପାଇଛି । ଅଦ୍ୟାବଧି ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୪୦୪୯, ମୃତ୍ୟୁ ସଂଖ୍ୟା ୬୯ ରହିଥିବା ବେଳେ ସକ୍ରିୟ ସଂଖ୍ୟା ୧୩ ରହିଥିବା ଦର୍ଶାଇଛି ବିଏମସି ପ୍ରଶାସନ । ବୁଧବାର ସକ୍ରିୟ ପଜିଟିଭ୍ ସଂଖ୍ୟା ୩୦ ଦର୍ଶାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଦ୍ୱାରା ୧୮ ଦର୍ଶାଯାଇଛି । ଏନେଇ ଗୁରୁବାର ବିଏମସି ତଥ୍ୟ ସଂଶୋଧନ ହୋଇଥିବା ପରିଲକ୍ଷିତ ହୋଇଛି ।