
ପଟ୍ଟାମୁଣ୍ଡାଇ– ରେଲଓ୍ବେ ସଫ୍ଟ ଓୟାରକୁ ହ୍ୟାକ୍ କରି ଟିକେଟ ପ୍ରସ୍ତୁତ କରି ବ୍ୟବସାୟ କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆରପିଏଫ ପୋଲିସ ପଟ୍ଟମୁଣ୍ଡାଇରୁ ଗିରଫ କରିଛି । ସମ୍ପୃକ୍ତ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ବେଲତଳ ଗ୍ରାମର ସୀତାରାମ ପଣ୍ଡା ବୋଲି ଜଣାପଡିଛି । ସେ ପଟ୍ଟାମୁଣ୍ଡାଇ ବଜାର ଡାକ ବଙ୍ଗଳା ଛକ ଠାରେ ଟ୍ରେନ, ପ୍ଳେନ ଟିକଟ ବିକ୍ରୀ ସହ ଜେରକ୍ସ ଓ ଡିଟିପି କାଉଁଟର ନାମରେ ଏକ ଦୋକାନ କରି ବ୍ୟବସାୟ କରୁଥିଲେ । ପାରାଦୀପ ଆରପିଏଫ ପୋଲିସ ଏହି ସୂଚନା ପାଇବା ପରେ ଗୁରୁବାର ଦିନ ୨ଟା ବେଳେ ପଟ୍ଟାମୁଣ୍ଡାଇ ପୋଲିସ ସହ ଯୋଗାଯୋଗ କରି ତାଙ୍କ ଦୋକାନ ଉପରେ ଅଚାନକ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ତାଙ୍କ କମ୍ପ୍ୟୁଟର ତନଖି କଲାପରେ କିଛି ତତ୍କାଳ ଟିକେଟ ଜବତ କରିବା ସହ ବ୍ୟବହାର ହେଉଥିବା ମୋବାଇଲ, ଲାପଟପ୍, ସିପିୟୁ, ପ୍ରିଣ୍ଟର, ହାଡଡିକ୍ସ ଓ ରେଲଓ୍ବେ ନାମରେ ବ୍ୟବହାର କରୁଥିବା କିଛି ଆପତ୍ତିଜନକ ନକଲି ଆକାଉଣ୍ଟ ଜବତ କରିଥିଲେ । ଗୁରୁବାର ସୀତାରାମଙ୍କୁ ଆରପିଏଫ ପୋଲିସ ଗିରଫ କରି ପାରାଦୀପ ନେଇଯାଇଛନ୍ତି ।