
ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଭଗାମୁଣ୍ଡା ହାଟ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ୍ୟୁ ଘଟିଛି ।
ମିଳିଥିବା ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଧକ୍କା ଦେଇଥିବା ଗାଡ଼ି ସମ୍ପର୍କରେ ଜଣାପଡିନଥିବା ବେଳେ ଯୁବକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ । ଘଟଣା ଦେଖି ସ୍ଥାନୀୟ ଲୋକେ ହରିଚନ୍ଦନପୁର ପୋଲିସକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ନରଣପୁର – ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ଶହ ଶହ ସଂଖ୍ୟାରେ ଲୁହାପଥର ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଭଗାମୁଣ୍ଡା ନିକଟରେ ପୂର୍ବରୁ ଅନେକ ନିରିହଙ୍କ ଜୀବନ ଯାଇଛି । ଏଥିସହ ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ବନ୍ଦ କରିବା ପାଇଁ ବାରମ୍ବାର ଭଗାମୁଣ୍ଡା ଯୁବଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇବା ସହ ଅବରୋଧ କରିଥିଲେ ମଧ୍ୟ ପ୍ରଶାସନର ଚେତା ପଶୁନାହିଁ । ଯାହାକୁ ନେଇ ଏହି ରାସ୍ତାରେ ବର୍ଷ ତମାମ ଅନେକ ମୃତାହତ ହେଉଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଅନେକଙ୍କ ଜୀବନ ବଞ୍ଚାଇ ହୁଅନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।